[balasore] - ଆଦିବାସୀ ନାବାଳକକୁ ମାଡ଼ ଘଟଣା: ପରିଚାଳକ ଗିରଫ

  |   Balasorenews

ବଡ଼ସାହି,୧୩।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ବଡ଼ସାହି ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଆଦିବାସୀ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ମଙ୍ଗଳବାର ବଡ଼ସାହି ପୋଲିସ ମେସ୍‌ ପରିଚାଳକ ଦେବବ୍ରତ ଦ୍ୱିବେଦୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପ୍ରକାଶ ଯେ, ୨ ବର୍ଷ ପୂର୍ବେ ବଡ଼ସାହିରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ମାତ୍ର ହଷ୍ଟେଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଛାତ୍ରୀଛାତ୍ର ଦୂରଦୂରାନ୍ତରୁ ଅସୁବିଧାର ସମ୍ମୁଖୀନ ହୋଇ ପାଠ ପଢ଼ିବାକୁ ଆସୁଛନ୍ତି। ଏହା ସହ କିଛି ଅଭିଭାବକ ବଡ଼ସାହି ବ୍ଳକ ନିକଟ ଏକ ଘରୋଇ ମେସ୍‌ରେ ଛାତ୍ରୀଛାତ୍ରଙ୍କୁ ରଖି ପାଠ ପଢାଉଛନ୍ତି । ତେବେ ମଙ୍ଗଳବାର କୌଣସି କାରଣକୁ ନେଇ ଛାତ୍ରଙ୍କୁ ମେସ୍‌ ପରିଚାଳକ ନିସ୍ତୁକ ମାଡ ମାରିଥିଲେ । ଏପରି କି ଛାତ୍ର ଜଣକୁ ଆଣ୍ଠେଇବା, ଗୋଇଠା ମାରିବା, କଚାଡିବା, ଗାଳିଗୁଲଜ କରିଥିଲେ । ଛାତ୍ର ଜଣକ ନେହୁରା ହୋଇ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ପରିଚାଳକ ଏଥିରେ ଭ୍ରୂକ୍ଷେପ ନ କରି ମାଡ ମାରିଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ନ ଜଣାଇବା ପାଇଁ ଛାତ୍ରଙ୍କୁ ଧମକ ମଧ୍ୟ ଦେଇଥିଲେ । ମାତ୍ର ଅପରାହ୍ନ ୪ଟାରେ ଶୀତବସ୍ତ୍ର ଦେବାକୁ ଆସିଥିବା ଛାତ୍ରଙ୍କ ପିତା ବୁଦ୍ଧିବାସ ଟୁଡୁ ମେସ୍‌ରେ ପହଞ୍ଚି ପୁଅର ଏପରି ଅବସ୍ଥା ଦେଖି ମର୍ମାହତ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ତାକୁ ବାରିପଦାସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତିକରି କରିଥିଲେ। ଛାତ୍ରଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ମସ୍ତିଷ୍କର ପରୀକ୍ଷା କରାଯାଇଥିଲା । ଛାତ୍ରଙ୍କ ବାମ ଗୋଡ ଓ ହାତରେ ଶକ୍ତ ମାଡ ହୋଇଥିବା ବେଳେ ଡାହାଣପାଖ କାନ ମୂଳରୁ ରକ୍ତ ପଡୁଥିବା ଜଣାଯାଇଛି । ମୁହଁରେ କ୍ଷତଚିହ୍ନ ଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ମାଡ ବସିଥିବାର ଚିହ୍ନ ରହିଛି । ଏନେଇ ସୋମବାର ରାତିରେ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ କେସ୍‌ ନଂ. ୧୭୩/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ମଙ୍ଗଳବାର ପୋଲିସ ମେସ୍‌ ପରିଚାଳକ ଦେବବ୍ରତ ଦ୍ୱିବେଦୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଫୋଟୋ - http://v.duta.us/OTVWTQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/fFHHmgAA

📲 Get Balasore News on Whatsapp 💬