[rayagada] - ମଦ ଗନ୍ଧ ବଳୟରେ ପ୍ରେମ ପାହାଡ଼

  |   Rayagadanews

ରାୟଗଡା ଅଫିସ, ୧୩।୧୧: ପାହାଡ ପର୍ବତରେ ଘେରା ରାୟଗଡ ଜିଲା। ଏଠାକାର ମନୋରମ ଓ ସ୍ବାସ୍ଥ୍ୟକର ପରିବେଶ ପାଇଁ ପର୍ଯ୍ୟଟକମାନଙ୍କ ଭିଡ ଜମୁଥାଏ ବର୍ଷ ତମାମ। ମାତ୍ର ଏଠାରେ ମାତ୍ରଧିକ ସଂଖ୍ୟକ ଦେଶୀମଦ ଭାଟି ଗଢି ଉଠୁଥିବାରୁ ପର୍ଯ୍ୟଟକମାନେ ଆସିବାକୁ ନାପସନ୍ଦ କରୁଛନ୍ତି। ସବୁଠି ବ୍ୟାପୁଛି ପୋଚା ମହୁଲିର ଗନ୍ଧ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ମଧ୍ୟ ଅସନ୍ତୋଷ ବଢୁଛି। ପର୍ଯ୍ୟଟନୀସ୍ଥଳି ନିକଟରେ ଗଢି ଉଠିଥିବା ଦେଶୀ ମଦ ଭାଟି କୋଟି କୋଟି ଟଙ୍କା ବାର୍ଷିକ ରାଜସ୍ବ ଦେଉଥିବାରୁ ପ୍ରଶାସନ ସେମାନଙ୍କୁ ସେଠାରୁ ହଟେଇବାକୁ ସାହସ କିମ୍ବା ଇଚ୍ଛା ପ୍ରକାଶ କରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସହରର ଚେକାଗୁଡା ଗ୍ରାମକୁ ଲାଗି ରହିଛି ପ୍ରେମ ପାହାଡ଼। ଏଠାକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପଯର୍‌ୟଟନ ବିଭାଗ ପକ୍ଷରୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ପାହାଡ ଚତୁଃପାର୍ଶ୍ୱରେ ଚଲାପଥ ସୁବିଧା ସାଙ୍ଗକୁ ପାଚେରୀ ନିର୍ମାଣ କରାଯାଇଛି। ଏଥିସହ ପ୍ରାକୃତିକ ସୌନ୍ଦଯର୍‌ୟ ଉପଭୋଗ କରିବାକୁ ସେଠାରେ ବେଞ୍ଚ ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ପରିତାପର ବିଷୟ ଯେ, ଏହି ପ୍ରେମ ପାହାଡକୁ ଲାଗି ଗଢି ଉଠିଛି ଏକ ଲାଇସେନ୍ସ ପ୍ରାପ୍ତ ମଦ ଭାଟି। ଏଠାରେ ପ୍ରସ୍ତୁତ ହେଉଥିବା ମହୁଲି ଦେଶୀ ମଦ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସ୍ବାସ୍ଥ୍ୟକର ଓ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏଥିପାଇଁ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକମାନେ ହନ୍ତସନ୍ତ ହେଉଥିବାବେଳେ ସବୁ ଜାଣିଶୁଣି ଚୁପ ବସିଛି ଅବକାରୀ ବିଭାଗ। କେବଳ ଉକ୍ତ ଭାଟି ପକ୍ଷରୁ ସରକାରଙ୍କୁ ବାର୍ଷିକ ୨କୋଟି ୮୮ଲକ୍ଷ ଟଙ୍କାର ରାଜସ୍ବ ମିଳୁଛି। ତେଣୁ ଏହି ଭାଟିକୁ ସେଠାରୁ ସ୍ଥାନାନ୍ତର କରିବାକୁ ପ୍ରଶାସନ କିମ୍ବା ଅବକାରୀ ବିଭାଗ ଇଚ୍ଛା ପ୍ରକାଶ କରୁନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଭାଟିଟି ଚେକାଗୁଡା ଗ୍ରାମର ମୁଖ୍ୟ ରାସ୍ତା କଡରେ ରହିଛି। ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ରର କୁନି କୁନି ପିଲାମାନେ ଯା’ଆସ କରୁଛନ୍ତି। ଏହା ସେମାନଙ୍କ ଉପରେ କୁପ୍ରଭାବ ପକାଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହାଛଡା ଏଠାରେ ମଦ୍ୟପଙ୍କ ଦୌରାତ୍ମ୍ୟ ମଧ୍ୟ ଦିନକୁ ଦିନ ବଢୁଛି। ଫଳରେ ମହିଳାମାନେ ଉକ୍ତ ରାସ୍ତା ଦେଇ ଯା’ଆସ କରିବାକୁ ଉଚିତ୍‌ ମଣୁ ନାହାନ୍ତି। ମଦ ପାଉଚ୍‌ ସେଠାରେ ପଡୁଥିବାରୁ ସ୍ଥାନୀୟ ଅଞ୍ଚଳର ପରିବେଶ ମଧ୍ୟ ଦୂଷିତ ହେଉଛି। ଏହି ଖବର ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ପାଖରେ ଖବର ରହିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଉ ନ ଥିବା ଅଭିଯୋଗ ହେଉଛି। ଭାଟି ସମ୍ବନ୍ଧୀୟ କିଛି କେସ ହାଇକୋର୍ଟରେ ବିଚାରଧୀନ ରହିଥିବାରୁ ପଦକ୍ଷେପ ଗ୍ରହଣ କରାଯାଇ ପାରୁନି ବୋଲି ବିଭାଗୀୟ ଅଧିକାରୀ ପ୍ରଶାନ୍ତ କୁମାର କର ସଫେଇ ଦେଇଛନ୍ତି। ଉକ୍ତ ସରକାରୀ ମଦ ଭାଟିଟି ଜଣେ ଆଦିବାସୀଙ୍କ ଜମିରେ ନିର୍ମିତ ହୋଇଛି। ନିରୀହ ଗରୀବ ଶ୍ରେଣୀର ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଭାଟି ମାଲିକ ସେଠାରେ ମଦ ଭାଟି ଗଢିଛନ୍ତି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପ୍ରେମ ପାହାଡର ଚାରି ପାଖରେ ସ୍କୁଲ,ମନ୍ଦିର,ଚର୍ଚ୍ଚ ଆଦି ରହିଛି। ଏଠାରେ ପ୍ରତ୍ୟେକ ଦିନ ଜନଗହଳି ଲାଗି ରହିଥିଲେ ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରତି କୌଣସି ଗୁରୁତ୍ୱ ଦିଆଯାଉନି। କେବଳ ରାଜସ୍ବ ଆଶାରେ ସରକାର ଲୋକଙ୍କ ଅସୁବିଧା ପ୍ରତି ଭୃକ୍ଷେପ ନ କରି ଚୁପ ରହିବା ଅତି ବିଡମ୍ବନାର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପ୍ରଶାସନ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଅଞ୍ଚଳବାସୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ପାଇଁ ଦାବି ହୋଇଛି।

ଫୋଟୋ - http://v.duta.us/sdQbrwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/jM7rwwAA

📲 Get Rayagada News on Whatsapp 💬