[sambalpur] - କୂଅରେ ପଡିଥିବା ଦନ୍ତାକୁ ଉଦ୍ଧାର କଲା ବନବିଭାଗ

  |   Sambalpurnews

ନାକଟିଦେଉଳ,୧୩।୧୧(ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅଧୀନ ସାହେବୀ ଗ୍ରାମ ନିକଟସ୍ଥ ଛାମୁଡ଼ିଆ ପାହାଡ ନିକଟରେ ଥିବା ଏକ କୂଅରେ ସୋମବାର ବିଳମ୍ବିତ ରାତ୍ରିରେ ଖଡି ପଡିଥିବା ଏକ ଦନ୍ତା ହାତୀକୁ ନାକଟିଦେଉଳ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ୨ ଦିନ ହେଲା ସାହେବୀ ଅଞ୍ଚଳରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ହାତୀ ଉପଦ୍ରବ ଜାରି ରଖିଛନ୍ତି । ଏପରି ସ୍ଥଳେ ସୋମବାର ସନ୍ଧ୍ୟାରେ ଏକ ହାତୀପଲ ସାହେବୀ ଅଞ୍ଚଳର ପଶି ଧାନ ଖାଇବା ସହ ଉପଦ୍ରବ କରିଥିଲେ। ସୋମବାର ରାତ୍ରି ପ୍ରାୟ ୨ଟା ବେଳେ ପୁଣି ଧାନ କ୍ଷେତରେ ପଶି ଧାନ ଖାଉଥିବା ବେଳେ ଏକ ଦନ୍ତାହାତୀ ଛାମୁଡିଆ ପାହାଡ ନିକଟରେ ପନିପରିବା ଚାଷ ପାଇଁ ଥିବା ସାହେବୀ ଗ୍ରାମର ହେମନ୍ତ ମାଝିଙ୍କ କୂଅରେ ଖସିପଡିଥିଲା। ସେତିକିବେଳେ ହାତୀ ଘଉଡାଇବାକୁ ନିୟୋଜିତ ଥିବା ବନ କର୍ମଚାରୀମାନେ କୂଅରେ ଏକ ହାତୀ ପଡିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ନାକଟିଦେଉଳ ବନାଞ୍ଚଳ ଅଧିକାରୀ ଦୟାନିଧି ସାହୁ, ଫରେଷ୍ଟର ଧର୍ମୁଧର ପ୍ରଧାନ, ଫରେଷ୍ଟ ଗାର୍ଡ ରଞ୍ଜନ ନାଏକ ପ୍ରମୁଖ ସ୍କାର୍ଡ ଦଳ ସହ ପହଞ୍ଚତ୍ ବାଣ ଫୁଟାଇ ଅନ୍ୟ ହାତୀମାନଙ୍କୁ ସେଠାରୁ ଜଙ୍ଗଲ ଭିତରକୁ ଘଉଡାଇ ଦେଇଥିଲେ । ପରେ କୂଅ ଭିତରେ ପଡିଥିବା ଦନ୍ତାହାତୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବନ ବିଭାଗ ଜେସିବି ମେଶିନ ସହାୟତାରେ ରାତି ୩ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟାର ଅପରେଶନ ପରେ କୂଅ ଭିତରୁ ହାତୀକୁ ଉଦ୍ଧାର କରାଯାଇଥିଲା। ଉକ୍ତ କୂଅଟି ପ୍ରାୟ ୨୫ ଫୁଟର ଗଭୀର ରହିଥିଲା। ଦନ୍ତା ହାତୀର ଆନୁମାନିକ ବୟସ ୧୬ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଉଦ୍ଧାର ପରେ ହାତୀଟି ଜଙ୍ଗଲ ଭିତରକୁ ଚାଲିଯାଇଥିବା ବନାଞ୍ଚଳ ଅଧିକାରୀ ଦୟାନିଧି ସାହୁ ପ୍ରକାଶ କରିଛନ୍ତି। ହାତୀ ପଲରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ହାତୀଥିବା ବେଳେ ଏମାନେ ପ୍ରାୟ ୫ରୁ ୬ଟି ଦଳରେ ଭାଗ ହୋଇ ଏଣେତେଣେ ବୁଲୁଛନ୍ତି। ଅନ୍ୟପକ୍ଷେ ହାତୀ ପଲ ବିନ୍ଧପୁର, ଧଣ୍ଡମୁଣ୍ଡା, ସାହେବୀ, ହିତସରା ମାନକୁଣ୍ଡା, ଝାରବେଡା ଆଦି ଗ୍ରାମରେ ବ୍ୟାପକ ଉପଦ୍ରବ କରିଥିବା ବେଳେ ପ୍ରାୟ ୧୫ ଏକରରୁ ଉର୍ଦ୍ଧ୍ୱ ଧାନ ଫସଲ ଦଳି ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି। ହାତୀପଲ ଅନୁଗୋଳ ଜିଲା ପାଲଲହଡା ଅଞ୍ଚଳରୁ ଚାଲିଆସିଥିବା ଅନୁମାନ କରାଯାଉଛି। ବନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।

ଫୋଟୋ - http://v.duta.us/lxyUdgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Ek3GTQAA

📲 Get Sambalpur News on Whatsapp 💬