[sambalpur] - ବାଘମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଆଇଜିଙ୍କ ତନାଘନା

  |   Sambalpurnews

ବରଗଡ଼ ଅଫିସ୍‌,୧୩।୧୧- ବରଗଡ଼ ବାଘମୃତ୍ୟୁ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଏସଟିଏଫ (ସ୍ପେଶାଲ ଟାସ୍କଫୋର୍ସ) ତନାଘନା ଚଲାଇଛି। ମଙ୍ଗଳବାର କ୍ରାଇମବ୍ରାଞ୍ଚ(ଏସଟିଏଫ) ଆଇଜି ଯତୀନ୍ଦ୍ର କୋଏଲ ଏବଂ ଡିଏସ୍‌ପି ବିଳାସିନୀ ନାୟକ ବରଗଡ଼ ଆସି ତଦନ୍ତକୁ ତ୍ୱରାନ୍ବିତ କରିଛନ୍ତି। ଏହି ମାମଲାରେ ଗିରଫ ୪ ଅଭିଯୁକ୍ତ ଖଜୁରିଆ ଗ୍ରାମର ସତ୍ୟବାନ ସାହୁ, ସୁଶିଳ ଭୁଏ, ଗୌରୀ ମିର୍ଦ୍ଧା ଏବଂ ଜେକ୍ରିଆ ଟିଡୁଙ୍କୁ ଦୁଇଦିନିଆଁ ରିମାଣ୍ଡରେ ଅଣାଯାଇଛି। ସେହିପରି ଅନ୍ୟ ଦୁଇଜଣ ରାଉତପଡ଼ାର ସରୋଜ ମିର୍ଦ୍ଧା, ଶରଧାପାଲିର ଭଞ୍ଜ ମିର୍ଦ୍ଧାଙ୍କୁ ଆଣି ଅଟକ ରଖାଯାଇଛି। ଉପରୋକ୍ତ ୬ଜଣଙ୍କୁ ବରଗଡ଼ ଟାଉନ ଥାନାରେ ଆଇଜି କୋଏଲ ଏବଂ ଡିଏସ୍‌ପି ନାୟକ ସେମାନଙ୍କୁ ବାଘମୃତ୍ୟୁ ଘଟଣା ସମ୍ପର୍କରେ ପଚରାଉଚୁରା କରୁଛନ୍ତି। ଏହି ଘଟଣାରେ ଆହୁରି ଅଧିକ ଅଭିଯୁକ୍ତ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଫଳରେ ଘଟଣାର ବିଭିନ୍ନ ଦିଗ ନେଇ ତଦନ୍ତ ଚାଲିଛି ଏବଂ ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଜି କୋଏଲ କହିଛନ୍ତି। ପ୍ରକାଶ ଥାଉକି, ଗତ ମାସ ୨୮ତାରିଖରେ ଡେବ୍ରିଗଡ଼ ଅଭୟାରଣ୍ୟ ପାଦଦେଶରେ ରହିଥିବା ଦାମୋଦରପଡ଼ା ଜଙ୍ଗଲରେ ମାଟି ଖୋଳି ପୋତାଯାଇ ଥିବା ଅବସ୍ଥାରେ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା । ଗତ ୩ତାରିଖ ଉପରୋକ୍ତ ୪ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବାବେଳେ ସେମାନଙ୍କ ପାଖରୁ ବାଘ ନିଶ, ପଞ୍ଝା ଆଦି ଜବତ୍‌ କରାଯାଇଥିଲା। ଗିରଫ ଅଭିଯୁକ୍ତମାନଙ୍କୁ ଗତ ୪ତାରିଖରେ କୋର୍ଟ ଚାଲାଣ କରାଯାଇଥିଲା ଏବଂ ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବରଗଡ଼ ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ସେହିପରି ଗତ ୫ତାରିଖରେ ଏନଟିସିଏ(ନ୍ୟାଶନାଲ ଟାଇଗର କନଜର୍ଭେଶନ ଅଥୋରିଟି), ନାଗପୁରର ଏଆଇଜି ହେମନ୍ତ କାମଡ଼ି, ଡବ୍ଲୁସିସିବି(ୱାଇଲ୍ଡ କନ୍‌ଜର୍ଭେଶନ କଣ୍ଟ୍ରୋଲ ବୋର୍ଡ଼), ଜବଲପୁରର ଅଭିଜିତ ରାୟ ଚୌଧୁରୀ, କ୍ରାଇମବ୍ରାଞ୍ଚର ଡିଏସ୍‌ପି ନାୟକ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ମୃତବାଘର ପ୍ରଜାତିକୁ ନେଇ ଆରମ୍ଭରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲେ ହେଁ ଅଭିଯୁକ୍ତମାନେ ଗିରଫ ହେବା ଏବଂ ସେମାନଙ୍କ ପାଖରୁ ମୃତ ବାଘର ବିଭିନ୍ନ ଅଂଶ ଜବତ୍‌ ହେବା ପରେ ତାହା ମହାବଳ ବାଘ ଥିଲା ବୋଲି ଶେଷରେ ବନ୍ୟପ୍ରାଣୀ ବିଭାଗ ମାନିଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ବନ ବିଭାଗ ୨ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ସେହିପରି ବିଦ୍ୟୁତ୍‌ ତାର ବିଛାଇ ଗତମାସ ୧୩ତାରିଖରେ ବାଘକୁ ଶୀକାର କରିଥିବା ଅଭିଯୁକ୍ତମାନେ ସ୍ବୀକାର କରିଥିବା ବେଳେ ଏହାର ୬ଦିନ ପୂର୍ବରୁ ଡେବ୍ରିଗଡ଼ ଅଭୟାରଣ୍ୟରେ ଲାଗିଥିବା ସିସିଟିଭି ଖୋଲିବା ଏବଂ ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଥିବା ଜଣାପଡ଼ିବା ପରେ ଏହାକୁ ନେଇ ବର୍ତ୍ତମାନ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଫୋଟୋ - http://v.duta.us/pg73owAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/BY1_PgAA

📲 Get Sambalpur News on Whatsapp 💬