[balasore] - ଐତିହାସିକ ହରିପୁର ଗଡ଼ର ପୁନରୁଦ୍ଧାର

  |   Balasorenews

ବଡ଼ସାହି,୨୬ା୧୧(ସ୍ବ.ପ୍ର.)-ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର। କଳା, ସଂସ୍କୃତି, ପରମ୍ପରା, ପର୍ବପର୍ବାଣୀ ଓ ଚଳଣୀକୁ ନେଇ ସାରା ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ରହିଛି । ଅତୀତର ନିଦର୍ଶନ ବହନ କରୁଥିବା ରସିକରାୟ ମନ୍ଦିର ଓ ରାଜବାଟୀର ଭଗ୍ନାବଶେଷ ଆଜି ବି ଜନମାନସରେ ପୂର୍ବ କଳାକୃତିର ଗୌରବ ଗାଥା ମନେ ପକାଇଥାଏ। ରକ୍ଷଣା ବେକ୍ଷଣ ଅଭାବରୁ ପୂର୍ବ କଳାକୃତି ଧୀରେ ଧୀରେ ଧ୍ୱଂସାଭିମୁଖୀ ଆଡେ ଅଗ୍ରସର ହୋଇଛି । ଭଗ୍ନ ରାଜବାଟୀ କଳାକୃତିର ପୁନରୁଦ୍ଧାର ସହ ପାଇଁ ଆର୍କଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ(ଏଏସଆଇ) ପକ୍ଷରୁ ଗଡର ପାରିପାର୍ଶ୍ୱିକ ବିକାଶ କରିବା ସହ ପୁନରୁଦ୍ଧାର କରିବା ପାଇଁ ପ୍ରସ୍ତୁତି ହୋଇଛି। ଆସନ୍ତା ଡିସେମ୍ବର ମାସ ଠାରୁ କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ.ମହେଶ ଶର୍ମାଙ୍କ ଠାରୁ ସୂଚନା ମିଳବିା ପରେ ଅଞ୍ଚଳରେ ଖୁସିର ବାତାବରଣ ଦେଖାଦେଇଛି । ବଡ଼ସାହି ବ୍ଲକ ପ୍ରତାପପୁର ପଞ୍ଚୟତ ହରିପୁର ଠାରେ ରହିଛି ତତ୍କାଳୀନ ମୟୂରଭଞ୍ଜ ଜିଲାର ରାଜଧାନୀ ହରିପୁରଗଡ। ଏହି ଗଡରେ ରସିକରାୟ ମନ୍ଦିର ଓ ରାଜବାଟୀର ଭଗ୍ନାବଶେଷ ରହିଛି ।୧୪ଶହ ଶ୍ରୀଷ୍ଟାବ୍ଦରେ ମହାରାଜାମାନଙ୍କର ବାରମ୍ବାର ଆକ୍ରମଣରେ ଅତିଷ୍ଠ ହୋଇ ତତ୍କାଳୀନ ମୟୂରଭଞ୍ଜ ରାଜ୍ୟର ରାଜଧାନୀ ଖିଚିଂରୁ ବାରିପଦାର ଦକ୍ଷିଣ ପୂର୍ବ ଦିଗରେ ୧୦ମାଇଲ ଦୂରକୁ ସ୍ଥାନାନ୍ତର କରାଯାଇଥିଲା । ନରେନ୍ଦ୍ର ନାଥ ବସୁଙ୍କ ଆର୍କଲୋଜିକାଲ ସର୍ଭେ ଅଫ ମୟୂରଭଞ୍ଜ ପୁସ୍ତକରେ ଲେଖାଯାଇଥିବା ତଥ୍ୟ ମୁତାବକ ବୁଢାବଳଙ୍ଗ ନଦୀ ହରିପୁରକୁ ଘେରି ରହିଥିବାରୁ ଶତ୍ରୁ ମାନଙ୍କ ଆକ୍ରମଣ କମ୍‌ ହେବା ଆଶଙ୍କା କରାଯାଇ ରାଜଧାନୀ ଏଠାକୁ ସ୍ଥାନାନ୍ତର କରାଯାଇଥିଲା । ମହାରାଜା ହରିହର ଭଞ୍ଜ ସେତେବେଳେ ଶକ୍ତିିଶାଳୀ ରାଜା ଥିଲେ । ପରେ ୧୫ଶହ ଶ୍ରୀଷ୍ଟାବ୍ଦ ବେଳକୁ ବୈଦ୍ୟନାଥ ରାଜା ହୋଇଥିଲେ। ସେ ସମୟର ଭଞ୍ଜ ପରିବାର ରସିକାନନ୍ଦ ଗୁରୁ ଥିଲେ । ଗୁରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜା ରସିକରାୟ ମନ୍ଦିର ନିର୍ମାଣ କରିଥିଲେ ବୋଲି ଜନଶ୍ରୁତିି ରହିଛି । ପତଳା ଇଟାରେ ନିର୍ମିତ ଏହି ମନ୍ଦିର ଆଜି ବି ସମଗ୍ର ରାଜ୍ୟରେ ଅଦ୍ୱିତୀୟ ମନ୍ଦିର ଭାବେ ବିରାଜମାନ । ପତଳା ପତଳା ମାର୍ବଲ ଖଣ୍ଡ ଭଳି ଇଟାରେ ଏହି ମନ୍ଦିର ନିର୍ମିତ ହୋଇଛି । ଇଟା ପୋଡାଯିବା ପୂର୍ବରୁ ଏଥିରେ ବିଭିନ୍ନ ପ୍ରକାର କଳାକୃତି କରାଯାଇଛି । ପ୍ରତି ଇଟାରେ ଭିନ୍ନ ଭିନ୍ନ ଚିତ୍ର ଅଙ୍କାଯାଇଛି । କେବଳ ରସିକରାୟ ମନ୍ଦିର ନୁହେଁ ଏଠାରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର,ରାଧାମୋହନ ମନ୍ଦିର ଓ ରାଜବାଟୀର ଭଗ୍ନାବଶେଷ ଆଜି ବି ସେହି ପୂର୍ବ ଗୌରବର କଥା ବଖାଣୁଛି। ମାଟି ତଳେ ଥିବା ଏହି ଘରକୁ ଅନେକ ରାଣୀ ହଂସପୁରୀ କହନ୍ତି । ତେବେ ସେଠାରେ ଥିବା ତେଲେଙ୍ଗା ଦରବାଜା(ତେଲଗୁ ଗେଟ),ସ୍ନାନାଗାର ଓ ନୃତ୍ୟଶାଳା ଆଜି ମାଟିରେ ମିଶି ଯାଇଛି । ଏଥିରେ ଯେଉଁ କଳାକୃତି ଥିଲା ତାହା ଦେଖିବା ଭଳି ସ୍ଥାନୀୟ ଲୋକେ କହନ୍ତି । ବହୁ ବର୍ଷ ପୂର୍ବେ ମରହଟ୍ଟାଙ୍କ ଆକ୍ରମଣରେ ମାଟି ତଳେ ପୋତି ହୋଇ ରହିଥିବା ରାଜବାଟୀର ସମ୍ପୂର୍ଣ୍ଣ ଭଗ୍ନବଶେଷ ଖୋଜାଗଲେ ଆହୁରି ଅନେକ ଅନାଲୋଚିତ ତଥ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଗ୍ରାମର ଚତୁର୍ଭୁଜ ପଣ୍ଡିତ, ସୃଷ୍ଟିଧର ମହାପାତ୍ର, ଦେବେନ୍ଦ୍ର କାଣ୍ଡ କହନ୍ତି, ଏଏସଆଇ ପକ୍ଷରୁ ହରିପୁର ଗଡର ପୁନରୁଦ୍ଧାର ସହିତ ସୌନ୍ଦର୍ଯ୍ୟକରଣ, ଗଡ ଭିତରେ ଥିବା କୁଞ୍ଜ ପୋଖରୀ ଓ ରାଣୀ ପୋଖରୀର ପୁନରୁଦ୍ଧାର କରାଗଲେ ଦର୍ଶକ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବଢନ୍ତା ବୋଲି ପ୍ରକାଶ କରିଛନ୍ତି । ସେହିପରି ବିଭାଗ ପକ୍ଷରୁ ଏକ ଶିଶୁ ଉଦ୍ୟାନ ସହିତ ୱାଟର ଫାଉଣ୍ଡେସନ, ଆଲୋକୀକରଣ କରିବା ପାଇଁ ସରପଞ୍ଚ ସସ୍ମିତା ନାୟକ ଦାବି କରିଛନ୍ତି। ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏକ ପାନ୍ଥଶାଳା ନିର୍ମାଣ କରାଗଲେ ପର୍ଯ୍ୟଟକ ମାନେ ଆସିବେ ବୋଲି ହରେକୃଷ୍ଣ ଜେନା, ହରିଶଙ୍କର ଦାଶ । ଗଡକୁ ସୁରକ୍ଷା ଦେବା ପାଇଁ ଚାରିପଟେ ପାଚେରୀର ଆବଶ୍ୟକତା ରହିଛି ବୋଲି ସମିତି ସଭ୍ୟ ପାର୍ଥସାରଥୀ ପଣ୍ଡା ପ୍ରକାଶ କରିଛନ୍ତି ।

ଫୋଟୋ - http://v.duta.us/YnobBgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/vI8GegAA

📲 Get Balasore News on Whatsapp 💬