[upakula-odisha] - ନୟାଗଡ଼-ଓଡ଼ଗାଁ ରାସ୍ତା ଦେଉଛି ଦୁର୍ଦ୍ଦଶା

  |   Upakula-Odishanews

ନୟାଗଡ଼ ଅଫିସ,୨୬ା୧୧- ନୟାଗଡ଼-ଓଡ଼ଗାଁ ୨୧ନଂ. ରାଜ୍ୟ ରାଜପଥ ଲୋକଙ୍କୁ ଦେଉଛି ଦୁର୍ଦ୍ଦଶା। ଏହି ରାସ୍ତାର କୋଏନା ହୋଟେଲଠାରୁ ବେଲବଣି ପର୍ଯ୍ୟନ୍ତ ପାଖାପାଖି ୨ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଛି। ରାସ୍ତା ନିର୍ମାଣ ବେଳେ ପାଣି ପକାଇବା ନିୟମ ଥିଲେ ମଧ୍ୟ ଠିକାଦାର ଏଥିପ୍ରତି ଆଖି ବୁଜିଦେଇଛନ୍ତି। ଫଳରେ ଧୂଳି ଉଡି ଯାତ୍ରୀମାନଙ୍କୁ ନୟାନ୍ତ କରିଦେଉଛି। ଅନ୍ୟପଟେ ଉକ୍ତ ରାସ୍ତାର ଗୋତିସାହିଠାରେ ଥିବା ବଡ ହମ୍ପ୍‌ସ ଏହି ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି। ବାଇକ୍‌ ଚାଳକଠାରୁ ଆରମ୍ଭ କରି ବସ୍‌ ଆଦି ଯାନବାହନ ଚଳାଚଳ କଲାବେଳେ ହମ୍ପ୍‌ସ ଯୋଗୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। କିଛିଦିନ ତଳେ ଜଣେ ମହିଳା ବାଇକ୍‌ ପଛରେ ବସି ଯାଉଥିବାବେଳେ ହମ୍ପ୍‌ସରେ ପଡ଼ି ଆହତ ହୋଇଥିଲେ। ପ୍ରତିଦିନ ଏହିଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ଗ୍ରାମବାସୀ ହମ୍ପ୍‌ସ ଭାଙ୍ଗିବାକୁ ନାରାଜ। ଓଲଟି ସେଠାରେ ଆହୁରି ଦୁଇଟି ବଡ଼ ହମ୍ପ୍‌ସ ନିର୍ମାଣ କଲେଣି। ବାରମ୍ବାର ଅଘଟଣ ଘଟୁଥିଲେ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆଯାଉନାହିଁ। ଫଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି। କିଛି ଯାତ୍ରୀ ଏ ନେଇ ଜିଲାପାଳଙ୍କଠାରେ ଅଭିଯୋଗ କରିବା ପରେ ଜିଲାପାଳ ଡା. ଏନ୍‌ ତିରୁମାଲା ନାୟକ ହମ୍ପ୍‌ସ ଉଚ୍ଛେଦ ପାଇଁ ପୂର୍ତ୍ତ ବିଭାଗକୁ କହିଥିଲେ। ହେଲେ ପୂର୍ତ୍ତ ବିଭାଗ ଏହାକୁ ଅଣଦେଖା କରିଚାଲିଛି। ଏହାକୁ ନେଇ ଜିଲାପାଳ ବିଭାଗର କର୍ମଚାରୀମାନଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ। ରାସ୍ତାରେ ଧୂଳି ଉଡ଼ୁଥିବା ଦୃଶ୍ୟକୁ ରବିବାର ଏସ୍‌ଆରକେ ସଙ୍ଗଠନ ଫେସବୁକ୍‌ ମାଧ୍ୟମରେ ସେୟାର କରିଥିଲା। ଯାତ୍ରୀମାନେ ରାସ୍ତାରେ ଗଲାବେଳେ ଧୂଳିଉଡ଼ି କିପରି ନୟାନ୍ତ ହେଉଛନ୍ତି ତାହା ଏଥିରେ ଦର୍ଶାଯାଇଥିଲା। ରାସ୍ତା ନିର୍ମାଣ ସମୟରେ ପାଣି ପକାଇବା ସହ ଗୋତିସାହିରେ ଥିବା ହମ୍ପ୍‌ସ ଉଚ୍ଛେଦ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏ ନେଇ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ଶତପଥୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଗ୍ରହଣ କରି ନ ଥିଲେ। ସେହିଭଳି ବିଭାଗର ଜଣେ କର୍ମଚାରୀ ରାସ୍ତାକାର୍ଯ୍ୟ ତୁରନ୍ତ ଶେଷହେବା ସହିତ ହମ୍ପ୍‌ସ ଉଚ୍ଛେଦ କରାଯିବ ବୋଲି ସୂଚନା ଦେଇଥିଲେ।

ଫୋଟୋ - http://v.duta.us/raRX_QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/CcbAGgAA

📲 Get Upakula-odisha News on Whatsapp 💬