[sambalpur] - ନୂଆଗାଁରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗୀତା: ଭୀମଭୋଇଙ୍କ ବାଣୀ ଦିବ୍ୟାଙ୍ଗଙ୍କ ହୃଦୟସ୍ପର୍ଶି ହେଉ

  |   Sambalpurnews

ନୂଆଗାଁ, ୨।୧୨ (ଡି.ଏନ.ଏ)- ଭଗବାନଙ୍କ ସୃଷ୍ଟିରେ ସବୁ ମଣିଷ ସମାନ, ତେବେ ବିଧିର ବିଧାନ ଅନୁଯାୟୀ ଧରାପୃଷ୍ଠରେ ଜନ୍ମ ନେଇଥିବା ଦିବ୍ୟାଙ୍ଗମାନେ ନିଜକୁ କୌଣସି ଗୁଣରେ ହେୟ ମନେକରିବା ଉଚିତ ନୁହେଁ। ଜଣେ ଭଲ ମଣିଷ ପରି ସେମାନେ ବି କାମ କରିପାରିବେ ସେମାନଙ୍କ ଉନ୍ନତ ଚିନ୍ତାଧାରା, ଆଚାର ବ୍ୟବହାର, ଭଲ ସ୍ବଭାବ ସେମାନଙ୍କୁ ନିଶ୍ଚିତ ରୂପେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ସୁଯୋଗ ସୃଷ୍ଟି ହୋଇପାରିବ। ତେଣୁ ସମସ୍ତ ବ୍ୟକ୍ତିବିଶେଷ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କ ଭିତରେ ବିଶ୍ୱାସ ଜନ୍ମାଇବା ଦରକାର ବୋଲି ଶନିବାର ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ପରିସରରେ ଆୟୋଜିତ ବ୍ଲକସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ସସ୍ମିତା ବେହେରା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକର ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବନମାଳୀ ମଲ୍ଲିକ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ଶୀର୍ଷକ ଭୀମଭୋଇଙ୍କ ଏହିବାଣୀ ସହ ତାଙ୍କ ଜୀବନୀ ବିଷୟରେ ଦିବ୍ୟାଙ୍ଗମାନଙ୍କୁ କହି ଶୁଣାଇଥିଲେ। ସନ୍ଥ କବି ଭୀମଭୋଇ ଜଣେ ଅନ୍ଧ ହୋଇ ମଧ୍ୟ ଜଗତର ପ୍ରତ୍ୟେକ ମଣିଷର ସୁଖ କାମନା କରିଥିଲେ । ତେଣୁ ତାଙ୍କ ଏହି ନୀତି ଆଦର୍ଶ ପ୍ରତ୍ୟେକ ଦିବ୍ୟାଙ୍ଗମାନଙ୍କ ପାଇଁ ହୃଦୟ ସ୍ପର୍ଶୀ ହେବା ଦରକାର ବୋଲି ସେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସହକାରୀ ବ୍ଲକଶିକ୍ଷା ଅଧିକାରୀ ବାନେ କେଛୁଆ, ପୂର୍ବତନ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମହେଶ୍ୱର ଦେ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବା ନେଇ ମତବ୍ୟକ୍ତ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ନୂଆଗାଁ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୧୨ ଜଣ ଦିବ୍ୟାଙ୍ଗଙ୍କୁ ନେଇ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । ଜିଲା ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ୨ଟି ଗ୍ରୁପ କରାଯାଇଥିଲା । ପ୍ରଥମରୁ ସପ୍ତମ ଜୁନିୟର ଗ୍ରୁପ ଓ ଅଷ୍ଟମରୁ ଦଶମ ସିନିୟର ଗ୍ରୁପ । ଏହି ୨ଟି ଗ୍ରୁପରେ ରହିଥିଲେ ଶାରୀରିକ ଅକ୍ଷମ, ମାନସିକ ଅନଗ୍ରସର ଶ୍ରବଣ ବାଧିତ ଓ ସ୍ବଳ୍ପ ଦୃଷ୍ଟିର ଦିବ୍ୟାଙ୍ଗମାନେ। ଶାରୀରିକ ଅକ୍ଷମ ଅନୁସାରେ ସେମାନଙ୍କୁ ବିଭିନ୍ନ ଖେଳରେ ସାମିଲ କରାଯାଇଥିଲା। ଯଥା ମ୍ୟୁଜିକ ଚେୟାର, ଜିଲାପି ରେସ୍‌, ଗୀତ, ହାଣ୍ଡିପିଟା, ଡ୍ରୋଇଂ, ବକୃତା ଆଦି ବିଭିନ୍ନ ଖେଳରେ ଦିବ୍ୟାଙ୍ଗମାନେ ଭାଗନେଇ ଉନ୍ନତମାନର ଖେଳ ପ୍ରଦର୍ଶନ କରିଥିଲେ। ପରେ ଜୁନିୟର ଓ ସିନିୟର ଗ୍ରୁପର ମୋଟ ୪୮ ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ଦିବ୍ୟାଙ୍ଗମାନଙ୍କ ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି । ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସିଆରସିସି ମଙ୍ଗଳ କେର୍କେଟା ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷକ ତଥା ସାହିତିକ କାଶୀନାଥ ନନ୍ଦୀ, ସିଆରସିସି ରଞ୍ଜିତ ଏକ୍କା, ସଞ୍ଜୟ ରଥ, ବିଷ୍ଣୁଚରଣ ନାଏକ, ପ୍ରଦୀପ ମାହାତ, ଶୁକ୍ରା ସିଂ, ବିଇଓ କାର୍ଯ୍ୟାଳୟର କର୍ମଚାରୀ ଅଭିଳାଷ ସେଠୀ, ଅଜୟ କୁମାର ଶେଖର ଦେଓ, ଶିକ୍ଷକ ମଧୁସୂଦନ କରିଆଲି, ଝସକେତନ ମେହେର, ଅଶୋକ ସିଂ, ଦିଲୀପ ସାହୁ ପ୍ରମୁଖ ଯୋଗଦେଇ କ୍ରୀଡା ପ୍ରତିଯୋଗିତାରେ ସହଯୋଗ କରିବା ସହ ଦିବ୍ୟାଙ୍ଗମାନଙ୍କୁ ଉତ୍ସାହିତ କରିଥିଲେ।

ଫୋଟୋ - http://v.duta.us/Yvkp8wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/O8zqlgAA

📲 Get Sambalpur News on Whatsapp 💬