[balasore] - ପରିଚୟ ଫେରି ପାଇବ ଝିିଞ୍ଜିରି ବନ୍ଧ

  |   Balasorenews

ବାରିପଦା ଅଫିସ,୨୧।୧୨- ବାରିପଦା ସହରରେ ରାଜରାଜୁଡା ଅମଳରୁ ପରିତ୍ୟକ୍ତ ହୋଇ ପଡିରହିଥିବା ଝିଞ୍ଜିରି ବନ୍ଧ ତା’ର ହଜିଲା ପରିଚୟ ଫେରିପାଇବ। ପ୍ରାୟ ୩୫ ବର୍ଷ ହେଲା ପରିତ୍ୟକ୍ତ ହୋଇ ପଡିରହିଥିବା ଏହି ବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ତତ୍ପର ହୋଇଉଠିଛି ପୌର ପରିଷଦ। କେବଳ ସରକାରୀ ଅନୁମୋଦନକୁ ଅପେକ୍ଷା। ଓଡ଼ିଶା ଅର୍ବାନ ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫଣ୍ଡ ଜରିଆରେ ଏହି ବନ୍ଧର ପୁନରୁଦ୍ଧାର କରାଯିବ। ୨୯ ଏକର ୪୭ ଡେସିମିଲ ପରିବ୍ୟାପ୍ତ ଏହି ବନ୍ଧ ପାଇଁ ୩ କୋଟି ୯୯ ଲକ୍ଷ ୬୬ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବାରିପଦା ପୌର ପରିଷଦର ଉପନଗରପାଳ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

ଝିଞ୍ଜିରି ବନ୍ଧର ପୁନରୁଦ୍ଧାର ନିମନ୍ତେ ୨୦୦୯ ମସିହାରୁ ହୋଇଆସୁଥିବା ଦାବି ପୂରଣ ହୋଇପାରୁ ନ ଥିଲା। ବିଭିନ୍ନ ସମୟରେ ସ୍ବେଚ୍ଛାସେବୀମାନଙ୍କୁ ନେଇ ଏହାକୁ ସଫା କରିଥିଲେ। ହେଲେ ଅନ୍ୟ ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନର ଅସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରୁ ନ ଥିଲା ବୋଲି ଉପନଗରପାଳ କହିଛନ୍ତି। ଏହି ବନ୍ଧର ଉଭୟ ପାର୍ଶ୍ୱରେ ୧ ଓ ୫ ନମ୍ବର ୱାର୍ଡର ବାସିନ୍ଦା ବସବାସ କରନ୍ତି। ଉକ୍ତ ବନ୍ଧକୁ ସଫା କରିବା ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ଆବଶ୍ୟକ ଥିବାରୁ ଏହା ସମ୍ଭବ ହୋଇପାରୁ ନ ଥିଲା। ତଥାପି ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ବନ୍ଧର ପୁନରୁଦ୍ଧାର ପାଇଁ ଲଢ଼େଇ ଜାରି ରହିଥିଲା, ଯାହା ଫଳରେ ୨୦୧୫ରେ ରାଜ୍ୟ ସରକାରଙ୍କ ଏକ ଟିମ୍‌ ଉକ୍ତ ବନ୍ଧ ପରିଦର୍ଶନରେ ଆସିଥିଲା। ଏହାପରେ ବନ୍ଧର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଛି। ପୁନରୁଦ୍ଧାର ଲାଗି ଆବଶ୍ୟକ ଅର୍ଥର ୮୦ ପ୍ରତିଶତ ରାଜ୍ୟ ସରକାର ଏବଂ ବାରିପଦା ପୌର ପରିଷଦ ୨୦ ପ୍ରତିଶତ ପ୍ରଦାନ କରିବ। ଜନସ୍ବାସ୍ଥ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ଏଥିନିମନ୍ତେ ମିଳିତ ଭାବେ ଏକ ଟେକ୍‌ନିକାଲ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ରିପୋର୍ଟ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗକୁ ପୌର ପରିଷଦ ପକ୍ଷରୁ ପ୍ରେରିତ କରାଯାଇଛି। ଏହା ଅନୁମୋଦିତ ହୋଇ ଆସିଲେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ବନ୍ଧର ସୌନ୍ଦର୍ଯ୍ୟକରଣ କରାଯିବ। ବନ୍ଧ ଚତୁଃପାର୍ଶ୍ୱରେ ଘାସ ଗାଲିଚା ବିଛାଯିବା ସହ ପିଇବା ପାଣି ବ୍ୟବସ୍ଥା, ଘାଟ, ଛୋଟପିଲାଙ୍କ ଖେଳିବା ପାଇଁ ସ୍ଥାନ, ପାର୍କ ବେଞ୍ଚ, ଶୌଚାଳୟ, ଛୋଟ ଛୋଟ ଗଛ, ସୋଲାର ଲାଇଟ ତଥା ପାର୍କ ଭଳି ସାଜସଜ୍ଜା କରାଯିବ। ଫଳରେ ଏଥିରୁ ପୌର ପରିଷଦର ରାଜସ୍ବ ମଧ୍ୟ ଆସିବ ବୋଲି ସେ କହିଛନ୍ତି। ଏହି ବନ୍ଧ ବେଲଗଡିଆସ୍ଥିତ ମୟୂରଭଞ୍ଜ ମହାରାଜାଙ୍କ ପ୍ରାସାଦକୁ ଲାଗି ରହିଥିବାରୁ ଏହି ବନ୍ଧର ଇତିହାସ ମଧ୍ୟ ରହିଛି। ପୂର୍ବରୁ ରାଜ ପରିବାରର ସଦସ୍ୟମାନେ ଏହି ବନ୍ଧ ନିକଟକୁ ଆସି ବସିଥିବା ଜନଶ୍ରୁତିରୁ ଜଣାପଡେ। କାଳକ୍ରମେ ସ୍ଥାନୀୟ ଅଞ୍ଚଳବାସୀ ଏଠାରେ ସ୍ନାନଶୌଚ ଆଦି କରୁଥିଲେ। ହେଲେ ଦୀର୍ଘ ବର୍ଷ ପୂର୍ବେ ବାରିପଦା ପୌର ପରିଷଦ ପକ୍ଷରୁ ଏଠାରେ ମାଛ ଚାଷ କରାଯିବା ପରେ ଏହାର ପାଣି ଦୂଷିତ ହେବାକୁ ଲାଗିଲା। ସେହିପରି ସହରର ଅନ୍ୟ ପୋଖରୀଗୁଡିକର ମଧ୍ୟ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ହେବ। ସୂଚନା ମୁତାବକ, ହେମସାଗର ପୋଖରୀ ପାଇଁ ୧ କୋଟି ୪୯ ଲକ୍ଷ ୭୩ ହଜାର, ବଡ଼ପୋଖରୀ ପାଇଁ ୧ କୋଟି ୭୭ ଲକ୍ଷ ୬୧ ହଜାର, ଚାପଲ ପୋଖରୀ ପାଇଁ ୧ କୋଟି ୪୮ ଲକ୍ଷ ୩୪ ହଜାର, ପାଇଲଟ ସାହିର ବନ୍ଧ ପାଇଁ ୮୫ ଲକ୍ଷ ୮୬ ହଜାର, ଷ୍ଟେଶନ ବନ୍ଧ ପାଇଁ ୧ କୋଟି ୮୦ ଲକ୍ଷ ୮୧ ହଜାର, ଯୁବଲି ପାର୍କ ବନ୍ଧ(୧) ପାଇଁ ୯୪ ଲକ୍ଷ ୪୩ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ଉପନଗରପାଳ ମହାନ୍ତି ସୂଚନା ଦେଇଛନ୍ତିି।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/zOM2LgAA

📲 Get Balasore News on Whatsapp 💬