[upakula-odisha] - ଜଙ୍ଗଲ ନଷ୍ଟକରି ଚାଲିଛି ରାସ୍ତାକାର୍ଯ୍ୟ

  |   Upakula-Odishanews

ନୂଆଗାଁ,୨୧ା୧୨ (ଡି.ଏନ.ଏ.)- ସରକାର ମୃତ୍ତିକା ସଂରକ୍ଷଣ ସହ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ହେଲେ ଅନେକ କ୍ଷେତ୍ରରେ ଠିକାସଂସ୍ଥା ଏହାକୁ ଭୁଲିଯାଇ ଜଙ୍ଗଲ ଅଞ୍ଚଳରୁ ମାଟିଖୋଳି ରାସ୍ତା କାର୍ଯ୍ୟରେ ବ୍ୟବହାର କରୁଛି। ଏହା ଦ୍ୱାରା ଜଙ୍ଗଲ ଅଞ୍ଚଳ ସଙ୍କୁଚିତ ହୋଇ ନଷ୍ଟ ହେବାକୁ ବସିଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ୫୭ନଂ. ଜାତୀୟ ରାଜପଥର ନୂଆଗାଁ ଛକଠାରୁ ଜାକେଡା ପଞ୍ଚାୟତ ଦେଇ ବାହାଡାଝୋଲା ପର୍ଯ୍ୟନ୍ତ ଲମ୍ବିଛି ପିଡବ୍ଳ୍ୟୁଡି ରାସ୍ତା। ଏହି ରାସ୍ତାର କିଛିଅଂଶ ଗତବର୍ଷ ମରାମତି ହୋଇଥିଲା। କିନ୍ତୁ ଅଣଓସାରିଆ ଥିବାରୁ ତାହାକୁ ଚଉଡା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗୁମିଠାରୁ ଡିମିରିପଲ୍ଲୀ ୭ କିଲୋମିଟର ରାସ୍ତା ଚଉଡା କରିବା ପାଇଁ ସରକାର ୬ କୋଟି ୮୭ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ବଘେଇ କନ୍‌ଷ୍ଟ୍ରକଶନକୁ ଦିଆଯାଇ କାର୍ଯ୍ୟ ଚାଲୁ ରହିଛି। ରାସ୍ତା ପାଇଁ ଆବଶ୍ୟକ ପଡୁଥିବା ମାଟି ପାଇଁ ଠିକାସଂସ୍ଥା ଅନେକ ଜଙ୍ଗଲ ନଷ୍ଟ କରି ମାଟି ଆଣୁଥିବା ଦେଖିବାକୁ ମିଳୁଛି । ମୃତ୍ତିକା ସଂରକ୍ଷଣ ପାଇଁ ସରକାର ବୃକ୍ଷ ରୋପଣ କରୁଥିବା ବେଳେ ଠିକାସଂସ୍ଥା ମାଟି ଆଣି ଜଙ୍ଗଲ ନଷ୍ଟ କରିବାରେ ଲାଗିପଡିଛି। ଏପରି କି ବରକୋଳା ଫରେଷ୍ଟ ବଙ୍ଗଳା ଆଗରେ ୮ କିଲୋମିଟର ଗାତେରି ଜଙ୍ଗଲ ରାସ୍ତାର ଉନ୍ନତୀକରଣ ପାଇଁ ୨୯ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ କରାଯାଇଛି। ଜଙ୍ଗଲ ଦେଇ ଯାଇଥିବା ଏହି ରାସ୍ତା କଡରୁ ଗଭୀର କରି ମାଟି ଉଠାଯାଉଛି। ବନ ବିଭାଗ କର୍ମଚାରୀ ଏହା ଦେଖି ମଧ୍ୟ ନୀରବ ରହୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି । ଠିକାସଂସ୍ଥାର ଏପରି ମନଇଚ୍ଛା କାମ ବିଷୟରେ ପିଡବ୍ଳ୍ୟୁଡି କନିଷ୍ଠଯନ୍ତ୍ରୀ ଗୋପବନ୍ଧୁ ଧୀର୍‌ଙ୍କୁ ପଚାରିବାରୁ ସେ କହିଥିଲେ, ବେଆଇନ୍‌ ଭାବେ ମାଟି ନ ଉଠାଇବା ପାଇଁ ଆମେ ଠିକାସଂସ୍ଥାକୁ ତାଗିଦ କରିଛୁ । କିନ୍ତୁ ସେ ଶୁଣିବାକୁ ନାରାଜ। ମାଟି ନେଇ ଜଙ୍ଗଲ ନଷ୍ଟ କରୁଥିବା ବିଷୟରେ ମହୀପୁର ବନାଞ୍ଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା କୁହନ୍ତି, ଏ ବିଷୟରେ ତଦନ୍ତ କରିବା ପାଇଁ ଘଟଣାସ୍ଥଳକୁ ଯାଉଛି। ଯଦି ସେପରି କିଛି ଆଇନ ଉଲ୍ଲଂଘନ କାମ ହୋଇଥିବ ତେବେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।

ଫୋଟୋ - http://v.duta.us/bUQ2ngAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ISvf-gAA

📲 Get Upakula-odisha News on Whatsapp 💬