[balasore] - ବାଟବଣା ହୋଇଛି ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’: ଅଭିଯୋଗ ଆଣିଲା ଭାଜପା

  |   Balasorenews

ବାଲେଶ୍ୱର ଅଫିସ, ୨୩।୧-ରାଜ୍ୟ ସରକାରଙ୍କର ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’ ବାଟବଣା ହୋଇଛି। ଏଥିରେ ଚାଷୀମାନଙ୍କୁ ହଇରାଣ କରାଯାଉଛି ବୋଲି ବାଲେଶ୍ୱରର ଏକ ଘରୋଇ ହୋଟେଲ ପରିସରରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ ସମ୍ପାଦିକା ତଥା ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାର ଶିଳ୍ପକୁ ପ୍ରାଧାନ୍ୟ ଦେଇ ଗତ ୨୦୧୧ରେ ବିଭିନ୍ନ ଜିଲାରେ ଚାଷୀମାନଙ୍କଠାରୁ ଜମି ଅଧିଗ୍ରହଣ କରି ପରବର୍ତ୍ତୀ ପର୍ଯ୍ୟାୟରେ ଶିଳ୍ପ ପାଇଁ ଜମି ଯୋଗାଇ ଦେବାର ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଯୋଜନାରେ ରେମୁଣା ବ୍ଲକ ଅଧିନସ୍ତ ନରହରିପୁର, ଖରିଦମୁଖୁରା, ନୂଆପାଢ଼ୀ ୩ଟି ପଞ୍ଚାୟତର ଜେନାମରେଇ, ଝିଙ୍କମୁଣ୍ଡୁଳି, ଗୋବିନ୍ଦପୁର, ଗୌରପୁର, ବାଲଗୋପାଲପୁୁର, ଗୋପାଳବିନ୍ଧା, ଗୁହାଳଗାଁ, କେଶପୁର, ବାଙ୍ଗରଗାଁ ୯ଟି ମୌଜାରେ ୧ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କଠାରୁ ୧୦୯୯ ଏକର ଚାଷ ଜମି ଅଧିଗ୍ରହଣ କରିଥିଲେ। ସରକାରୀ ଗେଜେଟ୍‌ ଅଧିଗ୍ରହଣ ପ୍ରକ୍ରିୟା ଅନୁସାରେ ସେକ୍ସନ୍‌ ୪(୧), ୫, ୬, ୭ ଅନୁଯାୟୀ ଗତ ୨୦୧୩ ଡିସେମ୍ବର ୧୩ ତାରିଖରେ ନୋଟିଫିକେଶନ୍‌ ମଧ୍ୟ ପ୍ରକାଶ ପାଇଛି। ଅଧିଗ୍ରହଣର ସବୁ ପ୍ରକ୍ରିୟା ଶେଷ ହୋଇଛି। ଜିଲାପାଳଙ୍କୁ ଅଧିଗ୍ରହଣ ଆଦେଶ ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ଜମି ପାଇଁ କ୍ଷତିପୂରଣ ଚାଷୀମାନଙ୍କୁ ଦେଉ ନାହାନ୍ତି କି ଉକ୍ତ ଜମିରେ କାରଖାନା ବସାଉ ନ ଥିବାରୁ ସ୍ଥାନୀୟ ଚାଷୀମାନେ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି। ରାଜ୍ୟର ଶିଳ୍ପମନ୍ତ୍ରୀ ବାଲେଶ୍ୱର ଜିଲାର ବିଧାୟକ ହୋଇଥିବା ବେଳେ ଉକ୍ତ ସମସ୍ୟା ସମାଧାନ ଦିଗରେ ଚେଷ୍ଟା ନ କରିବା ତାଙ୍କର ଅପାରଗତା ବୋଲି ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ସ୍ଥାନୀୟ ଏମ୍‌ପି, ବିଧାୟକ ଏବଂ ନେତାମାନେ ଗରିବ ଚାଷୀଙ୍କ ଜମିକୁ ହଡ଼ପ କରି ସ୍ଥାନୀୟ ଶିଳ୍ପ ପ୍ରତିଷ୍ଠାନର ମାଲିକମାନଙ୍କୁ ଶାଗମାଛ ଦରରେ ଯୋଗାଇ ଦେବାର କୁଚକ୍ରାନ୍ତ ବୋଲି ସ୍ପଷ୍ଟ ପ୍ରକାଶ କରିଥିଲେ। ଉକ୍ତ ଜମିର ମୂଲ୍ୟ ୬ଶହ କୋଟି ଟଙ୍କା ମୂଲ୍ୟ ଆକଳନ ହେଉଥିବା ବେଳେ ଚାଷୀମାନେ ଜମିକୁ ଚାଷ ଏବଂ ବିକ୍ରି ନ କରିପାରି ଅଭାବରେ ପ୍ରାଣ ହରାଉଛନ୍ତି ବୋଲି ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିବା ଚାଷୀ ଦେବୀ ପ୍ରସାଦ ନାୟକ, ଗୌରାଙ୍ଗ ଓଝା, ଚନ୍ଦ୍ରମଣି ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି। ଭାଜପା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାଶ, ଭାଜପା ଜିଲାସଭାପତି ମଦନ ମୋହନ ଦତ୍ତ ଉପସ୍ଥିତ ନ ଥିବାରୁ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ଫୋଟୋ - http://v.duta.us/yIm-JAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/TBSOdgAA

📲 Get Balasore News on Whatsapp 💬