[balasore] - ଶିମିଳିପାଳରୁ ଲୋପ ପାଉଛି ଶିମିଳି

  |   Balasorenews

କପ୍ତିପଦା,୨୩ା୧(ଡି.ଏନ.ଏ)- ପୂର୍ବରୁ ଶିମିଳିପାଳରେ ଅଧିକ ସଂଖ୍ୟକ ଶିମିଳିଗଛ ଥିବାରୁ ଏହା ଶିମିଳିପାଳ ନାମରେ ନାମିତ ଥିବା ପରିବେଶବିତ୍‌ କୁହନ୍ତି। ଗ୍ରୀଷ୍ମଋତୁର ଆଗମନରେ ନାଲି ହଳଦୀ ରଙ୍ଗର ଶିମିଳିଫୁଲ ଶିମିଳିପାଳର ଶୋଭାବର୍ଦ୍ଧନ କରିଥାଏ ା ମାତ୍ର ଶିମିଳିପାଳରୁ ଦିନକୁ ଦିନ ମଉଳିଯାଉଛି ଏହି ଗଛ ା ଜୈବ ବିବିଧତାର ଗୁରୁଦାୟିତ୍ୱ ବହନ କରୁଥିବା ମହୁମାଛିଙ୍କ ଅବକ୍ଷୟ ପାଇଁ ପରିବେଶବିତ୍‌ମାନେ ମଧ୍ୟ ଗଭୀର ଚିନ୍ତାରେ ପଡିଛନ୍ତି ା ଏହି ଶିମିଳିଗଛ ପାଇଁ ଶ୍ରୀହୀନ ହେବାକୁ ବସିଛି ଶିମିଳିପାଳର ଘଞ୍ଚ ଜଙ୍ଗଲ ା

ଶିମିଳିପାଳ ଅଭୟାରଣ୍ୟରେ ରହିଥିବା ୧୦୫୬ ପ୍ରଜାତିର ବୃକ୍ଷଲତା ମଧ୍ୟରେ ଶିମିଳିଗଛର ବେଶ୍‌ ମାହାତ୍ମ୍ୟ ରହିଛି ା ଫଳରେ ଏଠାରେ ଘୂରି ବୁଲୁଥିବା ମହୁମାଛି ଅଧିକ ସଂଖ୍ୟାରେ ଶିମିଳିଗଛ ପ୍ରତି ଆକୃଷ୍ଟ ହୋଇ ମହୁଫେଣା ତିଆରି କରିଥାନ୍ତି ା ଏବେ କିନ୍ତୁ ଚୋରା କାଠ ବେପାରୀଙ୍କ ଲୋଲୁପ ଦୃଷ୍ଟିରେ ପଡିଛି ଶିମିଳି ପାଳର ଶିମିଳି ଗଛ। କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ସେମାନେ ଗଛ କାଟି ନେବାରେ ସକ୍ଷମ ହେଉଛନ୍ତି। ହେଲେ ସେହି ତୁଳନାରେ ନୂତନ ଗଛ ଲଗାଯାଉ ନ ଥିବାରୁ ଶିମିଳିପାଳରୁ ଶିମିଳି ଗଛ ଲୋପ ପାଇବାକୁ ବସିଛି। ଏଥିଯୋଗୁ ମହୁମାଛିଙ୍କ ବଂଶ ମଧ୍ୟ କମିବାରେ ଲାଗିଛି ା ଫଳରେ ଖାଣ୍ଟି ମହୁ ପାଟିରେ ବାଜୁ ନ ଥିବା ବେଳେ ବଜାରରେ ମଧ୍ୟ ଏହା ଦୁଲର୍‌ଳଭ ହେଲାଣି ା ଶିମିଳିପାଳ ସଂଲଗ୍ନ ଗାଁ ଗୁଡ଼ିକରେ ବାସ କରୁଥିବା ଲୋକେ ଜଙ୍ଗଲରୁ ଏହି ମହୁ, ଝୁଣା, ଲାଖ ସଂଗ୍ରହ କରି ବଜାରରେ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଏବେ ଏହା ଜଙ୍ଗଲରେ ମଧ୍ୟ ଅଧିକ ମାତ୍ରାରେ ଉପଲବ୍ଧ ହେଉ ନ ଥିବା କହନ୍ତି ଶରତ ଅଞ୍ଚଳର ଶମ୍ବୁନାଥ ସିଂ, ସବିତା ବିରୁଆ ା ଜଙ୍ଗଲ ବିଭାଗର କଟକଣା ପାଇଁ ସେମାନେ ମଧ୍ୟ ଏହି ବେଉସାରୁ ମୁହଁ ଫେରାଇଲେଣି ବୋଲି ଜଣାଯାଇଛି ା ଏହାବାଦ ଶିମିଳି ଫୁଲର ରସ ଅନ୍ୟତମ ଆକର୍ଷଣୀୟ ଶାରୀ ଚଢେଇର ପ୍ରିୟ ଖାଦ୍ୟ ା ମାତ୍ର ଏହି ଗଛ ବର୍ତ୍ତମାନ ଖୁବ କମ ଦେଖିବାକୁ ମିଳୁଥିବା ବେଳେ ଏହି ଶାରୀ ଚଢେଇ ଏବେ ବିଲୁପ୍ତପ୍ରାୟ ା ଅଭୟାରଣ୍ୟରେ ଶିମିଳିଗଛର ଅଭାବ ଯୋଗୁ ଶାରୀ ଚଢେଇ ଏବେ ଦେଖିବାକୁ ମିଳୁ ନାହିଁ ା ସେହିପରି ଶିମିଳି କାଠ ହାଲୁକା ହୋଇଥିବାରୁ ସାଧାରଣତଃ ମିସ୍ତ୍ରିମାନେ ଘରର ସେଣ୍ଟ୍ରିଙ୍ଗ ପାଇଁ ଏହି ଗଛର ପଟାକୁ ବ୍ୟବହାର କରିଥାନ୍ତି ା ଗଛର ଅଭାବ ପାଇଁ ଏବେ ଏହି ପଟା ମିଳୁ ନ ଥିବା ବେଳେ ଲୁହା ଓ ଜିଆଇ ଶିିଟ୍‌ରେ ସେଣ୍ଟ୍ରିଙ୍ଗ କାମ ଚାଲୁଥିବାର ଜଣେ ରାଜମିସ୍ତ୍ରି ହେମ ସିଂ ପ୍ରକାଶ କରିଛନ୍ତି ା ଜୈବ ବିବିଧତାର ସୁରକ୍ଷା ଓ ପରିଚାଳନାରେ କାୈଣସି ଛୋଟ ବା ବଡ ପ୍ରଜାତିକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ପରିବେଶବିତ ଡ. ସନତ କୁମାର ଦାଶ କହିଛନ୍ତି ା ଧ୍ୱଂସାଭିମୁଖୀ ହେଉଥିବା ଶିମିଳିପାଳର ସୁରକ୍ଷା ପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି ା ନିଆଁ ଜାଳି ସଂଗ୍ରହକାରୀମାନେ ମହୁବସା ଭାଙ୍ଗିବା ଦ୍ୱାରା ବହୁ ମହୁମାଛି ମରୁଥିବା ଜଣାଯାଇଛି ା ଶିମିଳିଗଛର ଗୁରୁତ୍ୱକୁ ଉପଲବ୍ଧି କରି ଏକ ସଙ୍ଗଠନ ପକ୍ଷରୁ ପ୍ରାୟ ଏକ ବର୍ଷ ତଳେ ଜଡିଦା ପଞ୍ଚାୟତ ଜାମପଦାରେ ବହୁ ଶିମିଳିଚାରା ପ୍ରତିରୋପଣ କରାଯାଇଛି ା ମାତ୍ର ରକ୍ଷଣାବେକ୍ଷଣ ଅଭାବ ପାଇଁ ବହୁ ଗଛ ମରିଗଲେଣି। ତେଣୁ ଏହି ଗଛର ମାହାତ୍ମ୍ୟକୁ ନେଇ ବିଭିନ୍ନ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ, ବନ ବିଭାଗ ଓ ଜନ ସାଧାରଣ ବନୀକରଣରେ ଏହି ଗଛକୁ ଗୁରୁତ୍ୱ ଦେଇ ଅଧିକରୁ ଅଧିକ ଏହି ଚାରାରୋପଣ କରିବାକୁ ମତ ପ୍ରକାଶ ପାଇଛି ା ଏ ସଂକ୍ରାନ୍ତରେ କପ୍ତିପଦା ରେଞ୍ଜର ମହେଶ୍ୱର ସିଂଙ୍କୁ ପଚାରିବାରୁ ସେ କହନ୍ତି, ଶିମିଳିଗଛ କମିଥିବା ବେଳେ ଆଗାମୀ ଦିନରେ ଚାରାରୋପଣ ବେଳେ ଏଥିପ୍ରତି ଧ୍ୟାନ ଦେବୁ ା

ଫୋଟୋ - http://v.duta.us/rTAtuAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/q6yjcQAA

📲 Get Balasore News on Whatsapp 💬