[rayagada] - ପଦାରେ ପଡିଲା ଜିଲା ଯୋଗାଣ ବିଭାଗ କାରନାମା:ଚାଉଳରେ ଖୁଦ

  |   Rayagadanews

ରାୟଗଡା ଅଫିସ୍‌, ୨୩।୧: ରାୟଗଡାରୁ ଚାଉଳ ଓ୍ବେୟାର ହାଉସ ଜରିଆରେ ଗଜପତି ଜିଲାକୁ ଯୋଗାଇ ଦିଆଯାଉଥିବା ବେଳେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନଜରକୁ ଆସିଛି। ରାୟଗଡା ଜିଲା ଯୋଗାଣ ବିଭାଗ ଚାଉଳକୁ ଭଲ ବୋଲି ସାର୍ଟିଫିକେଟ୍‌ ଦେଇ ପଠାଉଥିବାବେଳେ ଗଜପତି ଜିଲା ଯୋଗାଣ ବିଭାଗ ଏହାକୁ ଗ୍ରହଣ କରିବାକୁ ରୋକ୍‌ଠୋକ୍‌ ମନା କରିଦେଇଛି। ଏମିତିକି ମିଲରମାନେ ଆଣିଥିବା ୩୦ରୁ ଊର୍ଦ୍ଧ୍ୱ ଚାଉଳ ବୋଝେଇ ଟ୍ରକକୁ ଟ୍ରକ ମାଲିକମାନେ ଅଟକାଇ ଦେଇଛନ୍ତି।

ଉନ୍ନତମାନର ଚାଉଳ ଯୋଗାଇବା ଲାଗି ଗଜପତି ଯୋଗାଣ ବିଭାଗ ଏକ ଚିଠି (ନମ୍ବର ୨୦୬/୧୯ା୧ା୨୦୧୯) ରାୟଗଡା ଯୋଗାଣ ବିଭାଗକୁ ଦେଇଛି । କିନ୍ତୁ ରାୟଗଡା ଜିଲା ଯୋଗାଣ ବିଭାଗରେ ମିଲରଙ୍କ ପ୍ରତି ରହିଥିବା ପ୍ରୀତି ସାମ୍ନାକୁ ଆସିଛି । ଚାଉଳରେ ମିଲରମାନେ ଖୁଦ ଏବଂ ଅନାବନା ଆବର୍ଜନା ଯୋଗାଉଥିବା ଅଭିଯୋଗ ହୋଇଛି । ଖୋଦ୍‌ ଗଜପତି ଜିଲା ଯୋଗାଣ ବିଭାଗ ଏହି ଅଭିଯୋଗ ଆଣିଛିି । ରାୟଗଡାରୁ ଗଜପତି ଜିଲାର ଲୁହାଗୁଡି ଓ ମିନିଗଁା ଚାଉଳ ଗ୍ରହଣ କେନ୍ଦ୍ରକୁ ଯେଉଁ ଚାଉଳ ପଠାଯାଇଛି ତାହା ଅତ୍ୟନ୍ତ ନିମ୍ନମାନର ହୋଇଥିବା ଦେଖିବାକୁ ମିଳିଛି । ଗଜପତି ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟର ଚିଠିରେ ଲେଖାଥିବା ନିୟମକୁ ଉଲ୍ଲଂଘନ କରି ଚାଉଳ ପ୍ରଦାନ କରାଯାଇଛି । ତାହାକୁ ଗ୍ରହଣ କରାଯିବ ନାହିଁ ବୋଲି ଗଜପତି ଜିଲା ଯୋଗାଣ ବିଭାଗ ଚିଠିରେ ଉଲ୍ଲେଖ ରହିଛି । ଉନ୍ନତମାନର ଚାଉଳ ଠିକ୍‌ ଭାବେ ପ୍ୟାକିଂକରି ଯୋଗାଇବା ନିମନ୍ତେ ଚିଠିରେ ଦର୍ଶାଯିବା ସହ ଏହାର ନକଲ ରାଜ୍ୟ ଯୋଗାଣ ନିଗମର ମହାପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି। ଫଳରେ ପଦାରେ ପଡିଛି ରାୟଗଡା ଜିଲା ଯୋଗାଣ ବିଭାଗର କାରନାମା । ମିଲରଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ଖୁଦମିଶା ଚାଉଳ ଯୋଗାଣ କରୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । କେବଳ ଗଜପତି ଜିଲା ନୁହେଁ ରାୟଗଡା ଜିଲାର ବିଭିନ୍ନ ପଞ୍ଚାୟତ, ବିଦ୍ୟାଳୟଗୁଡିକୁ ଯୋଗାଣ ହେଉଥିବା ଚାଉଳ ମଧ୍ୟ ଅତ୍ୟନ୍ତ ନିମ୍ନମାନର । କିଛିମାସ ପୂର୍ବେ ପଞ୍ଚାୟତ କର୍ତ୍ତୃପକ୍ଷ ଚାଉଳ ଗ୍ରହଣ ନ କରିବା ସମଗ୍ର ଜିଲାରେ ହଇଚଇ ସୃଷ୍ଟି କରିଥିଲା। ହେଲେ କିଛିିଦିନର ନିରବତା ପରେ ପୁଣିଥରେ ନିମ୍ନମାନର ଚାଉଳ ଯୋଗାଣ ଆରମ୍ଭ ହୋଇଛି । ଗତ ୪ତାରିଖରେ ରାୟଗଡା ଓ୍ବେୟାର ହାଉସ୍‌ରୁ ୪୦ଟି ଟ୍ରକ୍‌ରେ ୧୨ରୁ ୧୪ ଟନ୍‌ ଲେଖାଏଁ ଚାଉଳ ଗଜପତି ଜିଲାର ଲୁହାଗୁଡି, ମିନିଗଁା ଗୋଦାମକୁ ପଠାଇବା ନିମନ୍ତେ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୧୭ଟି ଟ୍ରକ୍‌ରେ ୧୭୦ଟନ୍‌ରୁ ଅଧିକ ଚାଉଳ ପଠାଗଲା। ସେହି ଚାଉଳରେ ୫୦ପ୍ରତିଶତ ଖୁଦ ରହିଥିବା ଗଜପତି ଜିଲା ଯୋଗାଣ ବିଭାଗ ଧରିବା ପରେ ପତ୍ର ଲେଖି ରାୟଗଡା ଜିଲା କର୍ତ୍ତୃପକ୍ଷଙ୍କୁ ଅବଗତ କରିବାରୁ ଚାଉଳ ଯୋଗାଣ ବନ୍ଦ ରଖାଯାଇଛି। ବଳକା ୨୩ଟି ଟ୍ରକ୍‌ରେ ଯିବାକୁ ଥିବା ପ୍ରାୟ ୨୪୦ଟନ୍‌ ଚାଉଳ ଯୋଗାଣ ହୋଇପାରିନାହିଁ । ଗଜପତି ଜିଲା ଯୋଗାଣ ବିଭାଗ ଟ୍ରକ୍‌ ମାଲିକମାନଙ୍କୁ ସୂଚନା ଦେଇଛନ୍ତି ଯେ, ଏଭଳି ଖୁଦମିଶା ଚାଉଳ ଆଣିଲେ ଆମେ ଗ୍ରହଣ କରିବୁନାହିଁ । ଗୋଟିଏ ପଟେ ସ୍ଥାନୀୟ ଟ୍ରକ୍‌ଗୁଡ଼ିକୁ ପରିବହନ ଦାୟିତ୍ୱ ଦିଆ ନ ଯାଇ ମିଲରମାନଙ୍କ ଟ୍ରକ୍‌ରେ ନିମ୍ନମାନର ଚାଉଳ ପଠାଯାଉଛି । ଏହାକୁ ମଙ୍ଗଳବାର ସ୍ଥାନୀୟ ଟ୍ରକ୍‌ ମାଲିକମାନେ ଓ୍ବେୟାର ହାଉସ୍‌ରେ ବିରୋଧ କରିଥିଲେ । ଏହି ଘଟଣା ପରେ ଜିଲା ଯୋଗାଣ ବିଭାଗ କର୍ତ୍ତୃପକ୍ଷ ଅଡୁଆରେ ପଡିଯାଇଛନ୍ତ। ମିଲରମାନେ ଆଣିଥିବା ୩୦ରୁ ଊର୍ଦ୍ଧ୍ୱ ଟ୍ରକ୍‌କୁ ଟ୍ରକ୍‌ ମାଲିକମାନେ ଅଟକାଇ ଦେଇଥିଲେ । ଏ ସମ୍ପର୍କରେ ରାୟଗଡା ଜିଲା ଯୋଗାଣ ଅଧିକାରୀ ପୁରୁଷୋତ୍ତମ ଲେଙ୍କାଙ୍କୁ ପଚାରିବାରୁ କହିଛନ୍ତି ଯେ, ଏଭଳି କୌଣସି ଚିଠି ମୁଁ ଗଜପତି ଜିଲା ଯୋଗାଣ ବିଭାଗରୁ ପାଇନାହିଁ । ଖୁଦ ମିଶା ଚାଉଳ ଯୋଗାଣ କଥାକୁ ସେ ଅସ୍ବୀକାର କରିଛନ୍ତି ।

ଫୋଟୋ - http://v.duta.us/3MjfiAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/j5gStwAA

📲 Get Rayagada News on Whatsapp 💬