[anugul-dhenkanal] - ଅଷ୍ଟଶମ୍ଭୁ ମନ୍ଦିରକୁ ଘନଉଛି ବିପଦ

  |   Anugul-Dhenkanalnews

ଐତିହ୍ୟସମ୍ପନ୍ନ କୁଆଳୋ ଅଷ୍ଟଶମ୍ଭୁ ମନ୍ଦିର ପ୍ରତି ବିପଦ ଘନେଇବାରେ ଲାଗିଛି। ଆବଶ୍ୟକ ମରାମତି କରାଯାଉ ନ ଥିବାରୁ ୧୪ଶହ ଶତାବ୍ଦୀର ଏହି ପ୍ରାଚୀନ ମନ୍ଦିର ମାଟିରେ ମିଶିବା ଆଶଙ୍କା ସୃଷ୍ଟି ହୋଇଛି। ଦୀର୍ଘ ୧୪ବର୍ଷ ହେଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲେ ମଧ୍ୟ ପୁନରୁଦ୍ଧାର କାମ ଆଗେଇ ପାରୁନାହିଁ। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ।ଢେଙ୍କାନାଳ ଜିଲାର ଐତିହ୍ୟ, କିମ୍ବଦନ୍ତୀ ତଥା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ପରଜଙ୍ଗ ବ୍ଲକ କୁଆଳୋସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର। ରାଜାରାଜୁଡ଼ା ଅମଳରୁ ନିର୍ମିତ ଉକ୍ତ ଶୈବପୀଠ ଚିତ୍ତାକର୍ଷକ କାରୁକାର୍ଯ୍ୟ ଲାଗି ପ୍ରସିଦ୍ଧି ଅର୍ଜନ କରିଛି। ହେଲେ ଦୀର୍ଘଦିନ ଧରି ମରାମତି ଅଭାବରୁ ମନ୍ଦିର ଭାଙ୍ଗିରୁଜି ଗଲାଣି। ବାରମ୍ବାର ଦାବି ପରେ ୧୯୭୨ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ସର୍ଭେ କରାଯାଇଥିଲା। ଉକ୍ତ ସମୟରେ କେତେକାଂଶ ମରାମତି ହୋଇଥିଲା। ୨୦୦୪ ପରଠାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଉପରେ ପୀଠର ରକ୍ଷଣାବେକ୍ଷଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଦୀର୍ଘ ୧୪ବର୍ଷ ଧରି ଏଏସ୍‌ଆଇର କାମ କେବଳ ମନ୍ଦିର ଚଟାଣରେ ପଥର ବସାଇବାରେ ସୀମିତ ରହିଛି। କାମ ଆରମ୍ଭ ହେଉ ନ ଥିବାରୁ ୨୦୧୨ରୁ ମୁଖ୍ୟ ମନ୍ଦିରରେ ଲୁହା ପାଇପ ବନ୍ଧା ହୋଇରହିଛି, ଯାହା ମନ୍ଦିର ଶୋଭା ନଷ୍ଟ କରୁଛି।ସବୁଠାରୁ ବଡ଼ କଥା, ବର୍ଷାଦିନେ ମନ୍ଦିର ବେଢ଼ାରେ ବର୍ଷାପାଣି ଲହଡ଼ି ଭାଙ୍ଗୁଛି। ଏହାଦ୍ୱାରା ଭିତ୍ତିଭୂମି ଦୁର୍ବଳ ହେବାରେ ଲାଗିଛି। ପଥର ଫାଙ୍କରେ ପାଣି ଗର୍ଭଗୃହକୁ ପଶୁଛି। ମନ୍ଦିର ଚୂଡ଼ାରେ ଥିବା ପିତଳ କଳସରେ ଆର୍ଥିଂ ବ୍ୟବସ୍ଥା ନ ଥିବାରୁ ବଜ୍ରପାତ ହେଉଛି। ଏହା ପୀଠକୁ କ୍ଷତି ପହଞ୍ଚାଉଛି। ମନ୍ଦିର ପ୍ରାଙ୍ଗଣରେ ଥିବା ଖୋଲା କୂଅ ଖରାଦିନେ ଜଳକଷ୍ଟ ମେଣ୍ଟାଇପାରୁନି। ଆଜିଯାଏ ଏହାର ବିକଳ୍ପ ବ୍ୟବସ୍ଥା କରାଯାଉନାହିଁ। ଦେବୋତ୍ତର ବିଭାଗର ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ପାର୍କିଂ ବ୍ୟବସ୍ଥା କରାଯାଉ ନ ଥିବାରୁ ଶ୍ରଦ୍ଧାଳୁମାନେ ସମସ୍ୟା ଭୋଗୁଛନ୍ତି। ଦୀର୍ଘବର୍ଷ ହେଲା ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଅଞ୍ଚଳବାସୀଙ୍କ ଭାବାବେଗ ସହିତ ଜଡ଼ିତ ଅଷ୍ଟଶମ୍ଭୁ ମନ୍ଦିର ପ୍ରତି ଅବହେଳାକୁ ନେଇ ପ୍ରତିବାଦର ସ୍ବର ଉଠିବା ପରେ ଏହାକୁ ପୁନରୁଦ୍ଧାର କରିବାକୁ ଆଶା ଦେଖାଇଥିଲା କେନ୍ଦ୍ର। ପୀଠ ମରାମତି କରିବା ଲାଗି ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ଦିର ବୁଲି ଦେଖିବା ସହ ଶୀଘ୍ର କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ଭିତରେ କାମ ପାଇଁ ଆସିଥିବା ପଥର ଗଦା ହୋଇ ରହିଛି। ହେଲେ କାରିଗରଙ୍କ ଦେଖାନାହିଁ, ଯାହା ଲୋକଦେଖାଣିଆ ବୋଲି ଆଲୋଚନା ହେଉଛି। ଏ ନେଇ ଏଏସ୍‌ଆଇ ଅଧିକାରୀ ପ୍ରଭାତ ମିଶ୍ର କୁହନ୍ତି, ଏବେ ମାଙ୍କଡ଼ା ପଥର କାମ ଜାରି ରହିଛି। ଟେଣ୍ଡର ମଞ୍ଜୁରୀ ହେବା ପରେ ମନ୍ଦିର କାମ ଆରମ୍ଭ ହେବ। ପଥର ଫାଙ୍କାସ୍ଥାନରୁ ପାଣି ଗଳୁଛି। ସିମେଣ୍ଟ ଲଗାଇବା ନିୟମ ନ ଥିବାରୁ ସମସ୍ୟା ହେଉଛି। ଚୂନ ଦ୍ୱାରା ମରାମତି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଫୋଟୋ - http://v.duta.us/cGu5awAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Q3C3MgAA

📲 Get Anugul-dhenkanal News on Whatsapp 💬