[anugul-dhenkanal] - ବଢୁଛି ଖଣି କ୍ଷତିଗ୍ରସ୍ତଙ୍କ ଅସନ୍ତୋଷ: ଓସିପି ସମ୍ମୁଖରେ ଅନଶନ, ଧାରଣା

  |   Anugul-Dhenkanalnews

କଣିହାଁ,୧୫।୨ (ଡି.ଏନ.ଏ.) - ଅନୁଗୋଳ ଜିଲାସ୍ଥିତ ଏମ୍‌ସିଏଲର କଣିହାଁ ଓସିପିରେ ଜମିବାଡି ହରାଇଥିବା କ୍ଷତିଗ୍ରସ୍ତଙ୍କ ଅସନ୍ତୋଷ ବଢିବାରେ ଲାଗିଛି। କଣିହାଁ ଗ୍ରାମବାସୀ ଗୁରୁବାର ଖଣି ବନ୍ଦ ଆନ୍ଦୋଳନ ସହ ଆମରଣ ଅନଶନରେ ବସିଥିବାବେଳେ କଂସମୁଣ୍ଡା ଗ୍ରାମର ଏସ୍‌ସିଏସ୍‌ଟି ସଙ୍ଗଠନ ପକ୍ଷରୁ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି। କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ, ନିଯୁକ୍ତି ଓ ଥଇଥାନ କରା ନ ଗଲେ ଆନ୍ଦୋଳନ ବ୍ୟାପକ କରିବାକୁ ଚେତାବନୀ ଦିଆଯାଇଛି।କଣିହାଁ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ୧୯୯୫ରୁ ସେମାନଙ୍କ ଜମି ଅଧିଗ୍ରହଣ କରାଯାଇଛି। ୨୦୧୯ ଜାନୁୟାରୀ ୧୯ରେ ୧୮ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପାଇଁ ପୋଷ୍ଟିଂ ଅର୍ଡର ଆସିଥିଲା। ହେଲେ କଣିହାଁ ଓସିପି କର୍ତ୍ତୃପକ୍ଷ ଜାଣିଶୁଣି ନିଯୁକ୍ତିପତ୍ର ଦେଉନାହାନ୍ତି। ଏ ନେଇ ପୂର୍ବରୁ ପ୍ରଶାସନ, ପୋଲିସ, ଏମ୍‌ସିଏଲ କର୍ତ୍ତୃପକ୍ଷଙ୍କ ସମେତ ତାଳଚେର ବିଧାୟକଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଖଣିବନ୍ଦ ଆନ୍ଦୋଳନ ସହ ଅନଶନ କରାଯାଇଛି। ନିଯୁକ୍ତି ପତ୍ର ନ ମିଳିବା ପର୍ଯ୍ୟନ୍ତ ଖଣି ଫାଟକ ସମ୍ମୁଖରେ ଆନ୍ଦୋଳନ ସହ ଅନଶନ ଚାଲିବ ବୋଲି ମଞ୍ଜୁଲତା ପ୍ରଧାନ, ଦିବାକର ସାହୁ, ପ୍ରଶାନ୍ତ ସାହୁ, ଅବନୀ ସାହୁ, ଅନିତା ସାହୁ, ଦିଲୋକ କୁମାର ସାହୁ, ବସନ୍ତ କୁମାର ସାହୁ, ଦୀପକ ସାହୁ ପ୍ରମୁଖ କହିଛନ୍ତି। ଏହି ଆନ୍ଦୋଳନରେ ଗ୍ରାମର ପ୍ରାୟ ୧୮ ପରିବାର ସାମିଲ ହୋଇଛନ୍ତି। ସେହିପରି ବିଭିନ୍ନ ପର୍ଯ୍ୟାୟରେ କଣିହାଁ ଓସିପିରେ ଜମି ହରାଇଥିବା କଂସମୁଣ୍ଡା ଗ୍ରାମର ଏସ୍‌ସିଏସ୍‌ଟି ସଙ୍ଗଠନ ନିଯୁକ୍ତି ଓ ଥଇଥାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ, ସଙ୍ଗଠନରେ ସାମିଲ ହୋଇଥିବା କ୍ଷତିଗ୍ରସ୍ତ ପ୍ରଜା ଜମି ହରାଇଛନ୍ତି। ହେଲେ ସେମାନଙ୍କ ପାଇଁ ନିଯୁକ୍ତି ଓ ଥଇଥାନ ସ୍ପନସର ଲିଷ୍ଟ କାର୍ଯ୍ୟରେ ଅବହେଳା କରାଯାଉଛି। ଯେ ପର୍ଯ୍ୟନ୍ତ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ମିଳିନି ସେ ପର୍ଯ୍ୟନ୍ତ ଖଣି ଫାଟକ ସମ୍ମୁଖରେ ଆନ୍ଦୋଳନ ଜାରି ରହିବ ବୋଲି କମିଟି ସଭାପତି ହୀରମନୟ ନାଏକ, ସମ୍ପାଦକ କରୁଣାକର ନାଏକ, ପରାମର୍ଶଦାତା ହରିହର ନାଏକ, କ୍ଷତିଗ୍ରସ୍ତ କୁମର ନାଏକ, କ୍ଷେତ୍ରବାସୀ ନାଏକଙ୍କ ସହିତ ଅନ୍ୟମାନେ ଚେତାବନୀ ଦେଇଛନ୍ତି।

ଫୋଟୋ - http://v.duta.us/A4FEDgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Ssb7GQAA

📲 Get Anugul-dhenkanal News on Whatsapp 💬