[anugul-dhenkanal] - ୩୨୪ ଅଶୋକା କଢ଼ିରେ ହୁଏ ପୂଜାର୍ଚ୍ଚନା

  |   Anugul-Dhenkanalnews

ବଅଁରପାଳ, ୧୫।୨ (ଉପେନ୍ଦ୍ର ରାଉତ): ଅସହାୟ ହୋଇ ଧାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ସହାୟ ହୁଅନ୍ତି ମା’। ପୂରଣ କରନ୍ତି ସେମାନଙ୍କ ସମସ୍ତ ମନସ୍କାମନା। ମା’ଙ୍କ ଆଶୀର୍ବାଦରୁ ନିଃସନ୍ତାନ ଦମ୍ପତି ପାଇଛନ୍ତି ସନ୍ତାନ। ବିବାହ ଓ କୋର୍ଟକଚେରି ମାମଲାରେ ବି ଅନେକ ଭକ୍ତଙ୍କୁ ମିଳିଛି ସଫଳତା। ସେଥିପାଇଁ ୨ଶହ ବର୍ଷ ହେଲା ମା’ କାମଦେବୀଙ୍କ ଉପରେ ରହିଛି ବଅଁରପାଳ ବ୍ଲକ ଗୋତମରାବାସୀଙ୍କ ପ୍ରଗାଢ଼ ବିଶ୍ୱାସ। ଗ୍ରାମର ପ୍ରତ୍ୟକ୍ଷ ଦେବୀ ଭାବେ ପୂଜାପାଇ ଆସୁଥିବା କାମଦେବୀଙ୍କ ଏପରି ବହୁ ମହିମା ରହିଥିବା ଗ୍ରାମର ବୟସ୍କମାନେ କହିଛନ୍ତି।ସେମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ଗୋତମରା ଗ୍ରାମରେ ପୂଜା ପାଉଥିଲେ ମା’। ୧୯୮୧ରେ ନାଲ୍‌କୋ କାରଖାନା ନିର୍ମାଣ ହେବା ପରେ ସେହି ପ୍ଲାଣ୍ଟ ପରିସରରେ ରହିଗଲା ମା’ଙ୍କ ପୀଠସ୍ଥଳୀ। ପ୍ଲାଣ୍ଟ ଭିତରୁ କାମଦେବୀଙ୍କୁ ହଟାଇବା ପାଇଁ ସେତେବେଳେ ନାଲ୍‌କୋ କର୍ତ୍ତୃପକ୍ଷ ଜୋରଦାର ଉଦ୍ୟମ କରିଥିଲେ। ଏପରି କି ପୂଜକଙ୍କୁ ଜେଲ ପଠାଇବା ସହ ଆସ୍ଥାନ ସ୍ଥଳ ଭାଙ୍ଗିବାକୁ ମେଶିନ୍‌ ନେଇ ଯାଇଥିଲେ। ମାତ୍ର ଗାଡ଼ି ଚାଳକ ରକ୍ତବାନ୍ତି କରି ଅସୁସ୍ଥ ହୋଇପଡ଼ିବାରୁ ପ୍ଲାଣ୍ଟ କର୍ତ୍ତୃପକ୍ଷ ତାଙ୍କ ଉଦ୍ୟମରେ ବିଫଳ ହୋଇଥିଲେ। ସେବେଠାରୁ ମା’ ପ୍ଲାଣ୍ଟ ପରିସରରେ ହିଁ ପୂଜା ପାଇ ଆସୁଛନ୍ତି। କୌଣସି ଠିକାଦାର କିମ୍ବା ଇଞ୍ଜିନିୟର କାମ ଆରମ୍ଭ କରିବା ସମୟରେ ମା’ କାମଦେବୀଙ୍କୁ ସ୍ମରଣ କରିଥାନ୍ତି। ଏପରି କି ପୀଠସ୍ଥଳୀରେ ପୂଜାର୍ଚ୍ଚନା କରିବା ପରେ ଯାଇ ଠିକା ସଂସ୍ଥାମାନେ କାମ ଆରମ୍ଭ କରିଥାନ୍ତି। ମା’ଙ୍କ ବିନା ଆଶୀର୍ବାଦରେ କୌଣସି ଠିକାଦାର କାମ ଆରମ୍ଭ କଲେ କ୍ଷତି ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ପ୍ରତ୍ୟେକ ବର୍ଷ ଚୈତ୍ରମାସ ଅଶୋକାଷ୍ଟମୀ ତିଥିରେ ଦେବୀଙ୍କ ବଡ଼ ପୂଜା ହୋଇଥାଏ। ଏହି ଦିନ ଦେବୀଙ୍କୁ ୩୨୪ଟି ଅଶୋକା ଫୁଲ କଢ଼ିରେ ପୂଜାର୍ଚ୍ଚନା କରାଯାଇଥାଏ। ଗୋତମରା ଗ୍ରାମ ଦିଅଁଘରୁ ଠାକୁରାଣୀଙ୍କ ଆଲମକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ସିପିପି ପ୍ଲାଣ୍ଟକୁ ଅଣାଯାଇଥାଏ। ଏହାପରେ ପ୍ଲାଣ୍ଟ ପରିସରରେ ବିଧିପୂର୍ବକ ପୂଜାର୍ଚ୍ଚନା ହୋଇଥାଏ। କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମୟରେ ସୁରକ୍ଷା କର୍ମୀ ଓ ସିଆରପିଏଫ୍‌ କାହାକୁ ଭିତରକୁ ଛାଡ଼ୁ ନ ଥିବା ବେଳେ ମା’ଙ୍କ ବାର୍ଷିକ ପୂଜା ସମୟରେ କିନ୍ତୁ କୌଣସି ଭକ୍ତଙ୍କୁ ସୁରକ୍ଷା କର୍ମଚାରୀ ଅଟକାନ୍ତି ନାହିଁ। ଏହି ଦିନ ସମସ୍ତ ଭକ୍ତଙ୍କୁ ନାଲ୍‌କୋ ପକ୍ଷରୁ ସ୍ବତନ୍ତ୍ର ଭାବେ ଗେଟପାସ୍‌ ପ୍ରଦାନ କରାଯାଇଥାଏ। ୨୦୦ ବର୍ଷ ପୂର୍ବରୁ ମା’ ଏଠାରେ ଆବିର୍ଭାବ ହୋଇଥିବା ପୂଜକ ଚନ୍ଦ୍ରମଣି ମହାପାତ୍ର କୁହନ୍ତି। ଗନ୍ଧର୍ବ ବିଶ୍ୱାଳ କୁହନ୍ତି, ମା’ କାମଦେବୀ ସମସ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି। କର୍ମଚାରୀ ବିଭବ ଜେନା କୁହନ୍ତି, ମା’ କାମଦେବୀ ଆମର ଅଧିଷ୍ଠାତା ଦେବୀ। ପ୍ଲାଣ୍ଟ ପରିସରରେ କୌଣସି ଠିକାଦାର କାମ ଆରମ୍ଭ କରିବା ସମୟରେ ମା’ଙ୍କୁ ସ୍ମରଣ କରିଥାନ୍ତି। ଯଦି ଏହାକୁ କେହି ଅବମାନନା କରନ୍ତି ତାଙ୍କର କ୍ଷତି ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ଥିବା ଜେନା କହିଛନ୍ତି।

ଫୋଟୋ - http://v.duta.us/ODcqXAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/rX7WHgAA

📲 Get Anugul-dhenkanal News on Whatsapp 💬