[upakula-odisha] - ଅସଜଡ଼ା ଜଗତ୍‌ସିଂହପୁର, ମାଷ୍ଟର ପ୍ଲାନରେ ବିଳମ୍ବ

  |   Upakula-Odishanews

ଜଗତ୍‌ସିଂହପୁର ଅଫିସ,୧୫ା୨: ୧୯୮୫ ପରଠାରୁ ଜଗତ୍‌ସିଂହପୁର ସହର ସମେତ ଜିଲା ପାଇଁ ମାଷ୍ଟର ପ୍ଲାନ ହୋଇନାହିଁ। ଫଳରେ ଏହି ମଧ୍ୟମ ଧରଣର ସହରଟି ଅସଜଡ଼ା ହୋଇ ରହିଛି। ଏଥିଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାବେଳେ ବର୍ଯ୍ୟବସ୍ତୁ ପରିଚାଳନା ଓ ବ୍ୟବସାୟ କ୍ଷେତ୍ରରେ ଅସୁବିଧା ହେଉଛି। ତେବେ ଇତିମଧ୍ୟରେ ମାଷ୍ଟର ପ୍ଲାନ ପାଇଁ ଟେଣ୍ଡର ହୋଇଥିଲେ ମଧ୍ୟ ଏହାର ପରବର୍ତ୍ତୀ କାର୍ଯ୍ୟରେ ବହୁ ବିଳମ୍ବ ପରିଲକ୍ଷିତ ହେଉଛି।

ସୂଚନା ଅନୁଯାୟୀ, ଓଡ଼ିଶା ଟାଉନ ପ୍ଲାନିଂ ନିର୍ଦ୍ଦେଶାଳୟ ଅଧୀନରେ ଜଗତ୍‌ସିଂହପୁର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ(ଜେଆର୍‌ଆଇଟି) କାର୍ଯ୍ୟ କରୁଛି। ମାଷ୍ଟର ପ୍ଲାନ ପାଇଁ ବିଭାଗ ପକ୍ଷରୁ ୩୧ା୫ା୧୭ରେ ଟେଣ୍ଡର ଆହ୍ବାନ କରାଯାଇଥିଲା। କିନ୍ତୁ ବିଭିନ୍ନ କାରଣରୁ ଟେଣ୍ଡର ଚୂଡାନ୍ତ ହୋଇପାରି ନ ଥିଲା। ୨୬ା୫ା୧୮ରେ ବାଙ୍ଗାଲୋରର ସ୍କାଏ ଗ୍ରୁପ ନାମକ ସଂସ୍ଥା ମାଷ୍ଟର ପ୍ଲାନ କରିବ ବୋଲି ଜେଆର୍‌ଆଇଟି ସହ ରାଜିନାମା କରିଥିଲା। ୨୩ା୭ା୧୯ ମଧ୍ୟରେ ଏହି ସଂସ୍ଥା ମାଷ୍ଟର ପ୍ଲାନ କରିବାକୁ ସମୟ ଦିଆଯାଇଛି। ସଂସ୍ଥା ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଜେଆର୍‌ଆଇଟି ଅଞ୍ଚଳର ଜନପ୍ରତିନିଧି, ତହସିଲଦାର, ବିଡିଓ ଓ ଅନ୍ୟ ଅଧିକାରୀଙ୍କୁ ନେଇ କର୍ମଶାଳା କରାଯାଇଥିଲା। ପରେ ଓର୍‌ସାକ ଦ୍ୱାରା ଉତ୍ତୋଳିତ ସାଟେଲାଇଟ୍‌ ଫଟୋ ଓ ଅନ୍ୟାନ୍ୟ ତଥ୍ୟକୁ ଭିତ୍ତିକରି ଏକ ପରିକଳ୍ପନା (କନ୍‌ସେପ୍ଟ) ରିପୋର୍ଟ ପ୍ରସ୍ତୁତ କରି ଜେଆର୍‌ଆଇଟିକୁ ହସ୍ତାନ୍ତର କରିଛି। ଏବେ ତଥ୍ୟ ପର୍ଯ୍ୟବେକ୍ଷଣ କାମ ଚାଲିଛି। ଏହାପରେ ସ୍କାଏ ଗ୍ରୁପ୍‌ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି ସର୍ବେକ୍ଷଣ କରିବେ। ବର୍ତ୍ତମାନ ସୁଦ୍ଧା ଯାହା ଜଣାଯାଇଛି ଜେଆର୍‌ଆଇଟି ଅଞ୍ଚଳରେ ଜଳ ଯୋଗାଣ ସ୍ବଭାବିକ ନାହିଁ। ଅନେକ ପରିବାର ବେସରକାରୀ ନଳକୂପରୁ ପାନୀୟ ଜଳ ବ୍ୟବହାର କରୁଛନ୍ତି। ଜଗତ୍‌ସିଂହପୁର କ୍ଲଷ୍ଟରରେ ସ୍ବେରେଜ ବ୍ୟବସ୍ଥା ନାହିଁ। ସହରରେ ଡ୍ରେନେଜ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ମାତ୍ର ୩୦% ପରିବାର ଅପରିଷ୍କାର ପାଣି ଡ୍ରେନ୍‌କୁ ଛାଡିବାକୁ ସମର୍ଥ ହେଉଛନ୍ତି। ଜଗତ୍‌ସିଂହପୁର ସହରର ଟ୍ରାଫିକ୍‌ ସମସ୍ୟା ବଢିଚାଲିଛି। ତିର୍ତ୍ତୋଲ କ୍ଲଷ୍ଟରର ବନ୍ଧବାଟି ଓ ଜଡତିରା ଗାଁରେ ଅସ୍ବାସ୍ଥ୍ୟକର ଜଳ ଯୋଗାଣ ହେଉଛି। ସ୍ବେରେଜ ସିଷ୍ଟମ ନାହିଁ। ରଘୁନାଥପୁର କ୍ଲଷ୍ଟରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇନି। ସ୍ବେରେଜ ବ୍ୟବସ୍ଥା ନାହିଁ। ଖୁବ କମ ପରିବାର ଡ୍ରେନେଜ୍‌ ସୁବିଧା ପାଇଥିଲେ ସୁଦ୍ଧା ସେମାନେ ଅପରିଷ୍କାର ପାଣି ବାହାରକୁ ଛାଡ଼ି ଦେଉଛନ୍ତି। ବାଲିକୁଦାରେ ସ୍ବେରେଜ କି ଡ୍ରେନେଜ୍‌ ବ୍ୟବସ୍ଥା କରାଯାଇନାହିଁ। ବିରିଡ଼ିର ଗୋପିନାଥପୁର, ପାଣ୍ଡିଆ ଓ ପୂଆଧନ ଗାଁରେ ଅସ୍ବାସ୍ଥ୍ୟକର ଜଳ ଯୋଗାଣ ହେଉଛି। ନଦୀ ଓ କେନାଲ ଜଳଯୋଗାଣର ମୁଖ୍ୟ ମାଧ୍ୟମ। ଏସବୁ କ୍ଲଷ୍ଟରରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଜରୁରୀ। ଏସବୁ ସର୍ବେକ୍ଷଣ କରାଯିବା ପରେ ଚିଠା (ଡ୍ରାଫ୍ଟ) ମାଷ୍ଟର ପ୍ଲାନ ହେବ। ପରେ ଜନ ଶୁଣାଣି କରାଯିବ। ଶେଷରେ ଚୂଡାନ୍ତ ମାଷ୍ଟର ପ୍ଲାନ ପ୍ରକାଶ ପାଇବ। ଏତେଗୁଡିଏ କାର୍ଯ୍ୟ ବାକିଥିବାବେଳେ ଇତିମଧ୍ୟରେ ୯ ମାସ ବିତିଗଲାଣି। ତେଣୁ ଆଉ ୫ ମାସ ଭିତରେ ସମ୍ପୃକ୍ତ ସଂସ୍ଥା ଚୂଡ଼ାନ୍ତ ମାଷ୍ଟର ପ୍ଲାନ କରିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜେଆର୍‌ଆଇଟି ସମ୍ପାଦକ କୀର୍ତ୍ତନ ବିହାରୀ ନାୟକ କହିଛନ୍ତି ଯେ, ଚୂଡାନ୍ତ ମାଷ୍ଟର ପ୍ଲାନ ପ୍ରକାଶ ପାଇବାରେ ବିଳମ୍ବ ହେବା ସତ୍ୟ। ଯେହେତୁ ଏଥିରେ କିଛି ତ୍ରୁଟି ରହିଗଲେ ଅସୁବିଧା ଅଛି, ତେଣୁ ନିର୍ଦ୍ଧିଷ୍ଟ ସମୟ ଅପେକ୍ଷା ବିଭାଗ ଠିକ ମାଷ୍ଟର ପ୍ଲାନ ପ୍ରସ୍ତୁତି ଉପରେ ଅଧିକ ଧ୍ୟାନ ଦେଉଛି। ସୂଚନାଯୋଗ୍ୟ, ଜଗତ୍‌ସିଂହପୁର ସହର ଓ ବ୍ଲକ ସମେତ ବାଲିକୁଦା, ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକ ଅଞ୍ଚଳର ୯୩ଟି ରାଜସ୍ବ ମୌଜାର ୧୧୪.୫୩ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତି ହେବ। ଜଗତ୍‌ସିଂହପୁର ପୌର ପରିଷଦ ସମେତ ବ୍ଲକର ପୁନଙ୍ଗ, ପଳାଶୋଳ, ଯଁକଟି, ଯଶୋବନ୍ତପୁର ସାଁପୁର, ତରଡ଼ାପଡ଼ା, ଓଡ଼ିଶୋ, ବଳରାମପୁର, ମୁଦୁପୁର, ମଣ୍ଡାସାହି ପଞ୍ଚାୟତକୁ ଏଥିରେ ସାମିଲ କରାଯାଇଛି।

ଫୋଟୋ - http://v.duta.us/GOcBMwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ehPDeQAA

📲 Get Upakula-odisha News on Whatsapp 💬