[upakula-odisha] - ହରାଇଲେ ୨ ହାତ: ଭିକ୍ଷାମାଗି ପରିବାର ପୋଷୁଛନ୍ତି ରବି

  |   Upakula-Odishanews

ଭାପୁର,୧୫ା୨(ଡି.ଏନ୍‌.ଏ.)-ଟିକିଏ ଅସାବଧାନତା ହେବା ଯୋଗୁ ଜଣେ ବ୍ୟକ୍ତି ଦିବ୍ୟାଙ୍ଗ ପାଲଟିଗଲେ। ତାଙ୍କର ଜୀବନ ଓ ଜୀବିକାର ଗତିପଥ ବଦଳି ଗଲା। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରବି ନାଏକ। ବାଣ ତିଆରି କରି ଭଲ ଅର୍ଥ ରୋଜଗାର କରି ସେ ପରିବାର ପୋଷୁଥିଲେ। ତେବେ ଦିନେ ବାଣ ବିସ୍ଫୋରଣ ଯୋଗୁ ରବିଙ୍କୁ ୨ ହାତ ହରାଇବାକୁ ପଡ଼ିଲା। ତଥାପି ଜୀବନ ସଂଗ୍ରାମରେ ସେ ହାରି ନ ଯାଇ ଭିକ୍ଷାବୃତ୍ତି କରି ୩ ଝିଅପୁଅ ଓ ମା’ବାପାଙ୍କୁ ପୋଷୁଛନ୍ତି। ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କିଆଝର ପଞ୍ଚାୟତସ୍ଥ ସାତଗୋଚ୍ଛିଆ ଗ୍ରାମର ହରିଜନ ପରିବାରର ରବି ନାୟକ (୩୯) ବାପାଙ୍କ ସହ ମିଶି ବାଣ ତିଆରି କରି ଜୀବନ ନିର୍ବାହ କରନ୍ତି। ସ୍ତ୍ରୀ ରମା, ୨ ଝିଅ ଓ ଗୋଟିଏ ପୁଅକୁ ନେଇ ଗଢ଼ି ଉଠିଥିଲା ତାଙ୍କ ପରିବାର। ତେବେ ୨୦୧୧ ମସିହା ଦୋଳପୂର୍ଣ୍ଣମୀ ଯାତ୍ରା ନିମନ୍ତେ ବାଣ ତିଆରି କରୁଥିବା ବେଳେ ବିସ୍ପୋରଣରେ ରବିଙ୍କ ୨ ହାତ ଛିଡିଯିବା ସହ ମୁହଁର ତଳ ମାଢ଼ି ମଧ୍ୟ ନଷ୍ଟ ହୋଇଗଲା। ଜୀବନ ରକ୍ଷା ପାଇଯାଇଥିଲେ ମଧ୍ୟ ଅନ୍ୟ କୌଣସି କାମ କରି ନ ପାରି ଶେଷରେ ଭିକ ମାଗିବାକୁ ବାଧ୍ୟ ହେଲେ। ଏହାର କିଛିଦିନ ପରେ ତାଙ୍କର ବାପା ଜଙ୍ଗଲକୁ ଜାଳକାଠ ସଂଗ୍ରହ କରିବାକୁ ଯାଇଥିବାବେଳେ ବାର୍‌ହା ଆକ୍ରମଣରେ ଡାହାଣ ଗୋଡ଼ ହରାଇଲେ। ଏବେ ସେ ବାପାଙ୍କ ଦାୟିତ୍ୱ ମଧ୍ୟ ମୁଣ୍ଡେଇଲେ। ଭିକ୍ଷାବୃତ୍ତି କରି ସେ ଦୁଇ ଝିଅଙ୍କୁ ୫ମ ଓ ୭ମ ଶ୍ରେଣୀ ଏବଂ ୯ମ ଶ୍ରେଣୀରେ ଏକମାତ୍ର ପୁଅଙ୍କୁ ପାଠ ପଢ଼ାଉଛନ୍ତି। ପ୍ରତିଦିନ ଘରୁ ବାହାରିବା ସମୟରେ ସ୍ତ୍ରୀ ତାଙ୍କୁ ଡ୍ରେସ୍‌ ପିନ୍ଧାଇ ଦେବା ସହ ଖୁଆଇ ଦେଇଥାନ୍ତି। ତାଙ୍କର ୨ ହାତ ନ ଥିବାରୁ ଦିନରେ ଅନ୍ୟ କୌଣସି ସ୍ଥାନରେ ଖାଇବାକୁ ସକ୍ଷମ ହୋଇପାରି ନ ଥାନ୍ତି। ତେଣୁ ସନ୍ଧ୍ୟାରେ ଘରକୁ ଫେରିବା ପରେ ରବିଙ୍କୁ ସ୍ତ୍ରୀ ଖୁଆଇ ଦେଇଥାନ୍ତି। ପ୍ରତି ମାସରେ ଦିବ୍ୟାଙ୍ଗ ଭତ୍ତା ବାବଦରେ ୫୦୦ ଟଙ୍କା, ବାପାଙ୍କୁ ୩୦୦ ଟଙ୍କା ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ତାଙ୍କ ପରିବାରକୁ ଚାଉଳ ମିଳିଥାଏ। ତେବେ ନିଜର ୩ ସନ୍ତାନଙ୍କ ଭବିଷ୍ୟତକୁ ନେଇ ସେ ଚିନ୍ତାରେ ରହିଛନ୍ତି। ଏ ପର୍ଯ୍ୟନ୍ତ ରହିବାକୁ ଭଲ ଘର ଖଣ୍ଡିଏ ତାଙ୍କର ନାହିଁ। ତେଣୁ ଏହି ଦିବ୍ୟାଙ୍ଗ ପରିବାରକୁ ବିଶେଷ ଭାବେ ସରକାରୀ ସହାୟତା ମିଳିପାରିଲେ କିଛିଟା ଆଶ୍ୱସ୍ତି ମିଳିପାରିଥାନ୍ତା ବୋଲି ବିଭିନ୍ନ ମହଲରେ କୁହାଯାଇଛି।

ଫୋଟୋ - http://v.duta.us/OWHndAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/5HdW2gAA

📲 Get Upakula-odisha News on Whatsapp 💬