[balasore] - ଭିଜିଲାନ୍ସ ଜାଲରେ କିରାଣି, ପିଇଓ

  |   Balasorenews

ବାରିପଦା ଅଫିସ/କୁଳିଅଣା/କୁଆମରା, ୮।୨(ଡି.ଏନ.ଏ.)-ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ମୟୂରଭଞ୍ଜ ଜିଲା କୁଳିଅଣା ତହସିଲର କିରାଣି ନାଜିର ନବ କିଶୋର ଦାସ ଓ ଗୋପବନ୍ଧୁନଗର ବ୍ଲକ ଆରପଟା ପଞ୍ଚାୟତର ପିଇଓ ଦାସମାଥ ମୁର୍ମୁ। କିରାଣି ନାଜିର ନବକିଶୋର ୧୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ପିଇଓ ଦାସମାଥ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲା ଉଦଳା ଚୁଳିପୋଷୀ ଅଞ୍ଚଳର ସରୋଜ କୁମାର ପ୍ରଧାନ କୁଳିଅଣା ବ୍ଲକ ଗାଙ୍ଗରାଜ ଅଞ୍ଚଳରେ ତାଙ୍କ ପତ୍ନୀଙ୍କ ନାମରେ ଏକ ୬ ଡିସିମିଲ ଜମି କିଣିଥିଲେ। ଉକ୍ତ ଜମିଟି ସାରଦ(୨) କିସମର ଥିଲା। ସେ ଏହି ଜମିର କିସମ ପରିବର୍ତ୍ତନ କରି ଘରବାରିକୁ କରିବା ପାଇଁ କୁଳିଅଣା ତହସିଲରରେ ୩ ମାସ ପୂର୍ବରୁ ଆବେଦନ କରିଥିଲେ। ଏନେଇ କୁଳିଅଣା ତହସିଲ ପକ୍ଷରୁ କୁଚେଇ ଆରଆଇଙ୍କୁ ଏହାକୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଥିଲା। ଆରଆଇ ମଧ୍ୟ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ତେବେ ସରୋଜ ଏନେଇ ତହସିଲର କିରାଣି ନାଜିର ଦାସଙ୍କୁ ତାଙ୍କର ଘରବାଡି ପଟ୍ଟା କରିବା ପାଇଁ କହିଥିଲେ। କିରାଣି ତାଙ୍କର ପଟ୍ଟା କରିଦେବା ପାଇଁ ସରୋଜଙ୍କୁ ୩ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେମାନଙ୍କ ମଧ୍ୟରେ ମୂଲଚାଲ ହେବା ପରେ ସରୋଜ ୧୫ଶହ ଟଙ୍କା ଲାଞ୍ଚ ଦେବେ ବୋଲି ରାଜି ହୋଇଥିଲେ। ଏନେଇ ସରୋଜ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁସାରେ ସରୋଜ କିରାଣି ଦାସଙ୍କୁ ତାଙ୍କ ଅଫିସ କାର୍ଯ୍ୟାଳୟ ପରିସରରେ ଉକ୍ତ ୧୫ଶହ ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା। ତାଙ୍କ ଠାରୁ ୧୫ଶହ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହାସହ ତାଙ୍କ ଅଫିସ କାର୍ଯ୍ୟାଳୟ ସମେତ ତାଙ୍କ ଘର ଉପରେ ମଧ୍ୟ ଚଢ଼ାଉ କରାଯାଇଛି। ନାଜିର ନବ କିଶୋରଙ୍କୁ କୋର୍ଟଚାଲାଣ କରାଯାଇଥିବା ଭିଜିଲାନ୍ସ ଡିଏସପି ଶରତ କୁମାର ମହାପାତ୍ର କହିଛନ୍ତି। ଚଢ଼ାଉରେ ଇନ୍ସପେକ୍ଟର ଅନିରୁଦ୍ଧ ନାୟକ, ସବଇନ୍ସପେକ୍ଟର ଏସ ପୋଇଙ୍କ ସମେତ ଲଳିତ କୁମାର ରାଉତ, ତରୁଣ କୁମାର ପାଲବାବୁ, ବ୍ରଜକିଶୋର ପଟ୍ଟନାୟକ, ମନୋରଞ୍ଜନ ବେହେରା, ଗଣନାଥ ବେହେରାଙ୍କ ସହ ଅନ୍ୟମାନେ ସାମିଲ ଥିଲେ। ସେହିପରି ପାଳଶା ଗ୍ରାମର ଦେବାଶିଷ ପୃଷ୍ଟି ନାମକ ଜଣେ ବ୍ୟକ୍ତି ଏକ ବିଜୁ ପକ୍କା ଘର ପାଇଁ ବିଧାୟକଙ୍କଠାରୁ ଲିଖିତ ଭାବେ ଆଣିବା ପରେ ବିଡିଓଙ୍କୁ ଦେଇଥିଲେ। ବିଡିଓ ଏହାକୁ ତଦନ୍ତ କରିବା ପାଇଁ ପିଇଓ ଦାସମାଥ ମୁର୍ମୁଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପିଇଓ ଏଥିପ୍ରତି ସମୟ ଗଡାଇ ଚାଲିଥିଲେ। ଦେବାଶିଷ ପିଇଓ ମୁର୍ମୁଙ୍କୁ ଉକ୍ତ କାର୍ଯ୍ୟକୁ ଶୀଘ୍ର କରିବାକୁ ୫ ହଜାର ଟଙ୍କା ଗୁରୁବାର ପୁରୁଣା ବାରିପଦା ତେଲ ଟାଙ୍କି ନିକଟରେ ଦେଉଥିବା ବେଳେ ନିକଟରେ ଛପି ରହିଥିବା ଭିଜିଲାନ୍ସ କର୍ମଚାରୀ କାବୁ କରିନେଇଥିଲେ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇ ବାଲେଶ୍ୱର ଭିଜିଲାନ୍ସ ଅଫିସକୁ ନିଆଯାଇଛି।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/d8yEFAAA

📲 Get Balasore News on Whatsapp 💬