[sambalpur] - ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ସୋନପୁର ପର୍ଯ୍ୟନ୍ତ କାମ ଶୀଘ୍ର ଆରମ୍ଭ ଦାବି

  |   Sambalpurnews

ସୋନପୁର, ୮।୨(ନି.ପ୍ର.)- ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ସୁବର୍ଣ୍ଣପୁର ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୁରୁବାର ଦାବି ହୋଇଛି। ଏ ସମ୍ପର୍କିତ ଏକ ସ୍ମାରକପତ୍ର ଜିଲାପାଳଙ୍କ ଜରିଆରେ ଜେନେରାଲ ମ୍ୟାନେଜର ଇଷ୍ଟକୋଷ୍ଟ ରେଲୱେ ଭୁବନେଶ୍ୱରଙ୍କୁ ପ୍ରଦାନ କରାଯାଇଛି। ବଲାଙ୍ଗୀର ଜିଲା ଭଇଁସାପାଲି-ବିଛୁପାଲିରୁ ସୋନପୁର ପଟକୁ ରେଳପଥ ନିର୍ମାଣ ପାଇଁ ଶୀଘ୍ର ଟେଣ୍ଡର ଆହ୍ବାନ କରିବାକୁ ଦାବି ହୋଇଛି । ନଚେତ ଆସନ୍ତା ମାର୍ଚ୍ଚ ମାସ ୧୫ ତାରିଖଠାରୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଳ ସଦନ ସମ୍ମୁଖରେ ଜନସାଧାରଣଙ୍କ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପୂର୍ବ ଓ ପଶ୍ଚିମ ଓଡିଶାକୁ ଯୋଡିବା ପାଇଁ ୨୮୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥ ବହୁ ଗୁରୁତ୍ୱପୂର୍ଣ୍ଣ । ୧୯୪୫ ମସିହାରେ ଏହି ରେଳପଥ ପାଇଁ ପ୍ରଥମେ ସର୍ଭେ ହୋଇଥିଲେ ହେଁ ସ୍ବାଧୀନତା ପରେ କେନ୍ଦ୍ରରେ ଥିବା ବିଭିନ୍ନ ସରକାର ଏହି ରେଳପଥକୁ ଅବହେଳା କରି ଆସିଥିଲେ। ବର୍ତ୍ତମାନ ଏହି ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ବଜେଟ୍‌ରେ ଅଖିଦୃଶିଆ ବ୍ୟୟବରାଦ ହେଉଛି । ରାଜ୍ୟ ସରକାର ମଧ୍ୟ ମାଗଣାରେ ଜମି ଦେଉଛନ୍ତି। କିନ୍ତୁ କାମ ବିଳମ୍ବିତ ହେଉଥିବାରୁ ନିର୍ଦ୍ଧାରିତ ସମୟରେ କାମ ସରିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଜନସାଧାରଣଙ୍କ ବହୁ ଦାବି ପରେ ବଲାଙ୍ଗୀର ପଟୁ କାର୍ଯ୍ୟ ଆରମ୍ଭ ହୋଇ ଏବେ ବିଛୁପାଲିରେ ପହଞ୍ଚତ୍ଛି। ଗତ ଜାନୁୟାରୀ ୧୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀରଠାରେ ଏହି ରେଳଲାଇନରେ ନୂତନ ରେଳ ଚଳାଚଳକୁ ଉଦ୍‌ଘାଟନ କରିଥିଲେ। ସୁବର୍ଣ୍ଣପୁର ଜିଲାରେ ରେଳପଥର ଦୈର୍ଘ୍ୟ ୨୯ କିଲୋମିଟର। ଜିଲା ପ୍ରଶାସନ ସମସ୍ତ ୧୦୪ଏକର ସରକାରୀ ଜମି ଓ ବଲାଙ୍ଗୀର ପଟୁ ୧୦ କିଲୋମିଟର ଭିତରେ ୧୬୯ ଏକର ବେସରକାରୀ ଜମି ରେଳ ବିଭାଗକୁ ହସ୍ତାନ୍ତର କରି ସାରିଛି। ମୋଟ ୩୦ଟି ଗାଁରୁ ୧୨ଟି ଗାଁର ଜମି ମାଲିକଙ୍କୁ ଅର୍ଥ ପ୍ରଦାନ ସରିଛି। ଏଭଳିସ୍ଥଳେ ରେଳ ବିଭାଗର ଅଧିକାରୀଙ୍କ ବିଳମ୍ବିତ କାର୍ଯ୍ୟକୁ ନେଇ ଜିଲାରେ ଅସନ୍ତୋଷ ପ୍ରକାଶ ପାଇଛି। ଗୁରୁବାର କ୍ରିୟାନୁଷ୍ଠାନ କମିଟିର ଆବାହକ ଗୋବିନ୍ଦ ମହାରଣା, ପୁରୁଷୋତ୍ତମ ପାଣିଗ୍ରାହୀ, ବଳଦେବ ପ୍ରସାଦ ବେଦବାକ, ଜିତେନ୍ଦ୍ର ପଟ୍ଟନାୟକ, ମାଧବ କୁମ୍ଭାର, ଚକ୍ରାୟୁଧ ନାୟକ, ନିତ୍ୟାନନ୍ଦ ମଲ୍ଳିକ, ଗୌରିଶଙ୍କର ମହାପାତ୍ର, ସୁଧୀର ପଣ୍ଡା ଓ ଶେଷଦେବ ମେହେର ପ୍ରମୁଖ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଫୋଟୋ - http://v.duta.us/McUBnAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/rJlDowAA

📲 Get Sambalpur News on Whatsapp 💬