[rayagada] - ଶତାବ୍ଦୀ ଅମଳର ହାଟ ଏବେ ଅତୀତ

  |   Rayagadanews

କୁନ୍ଦୁରା,୪ା୩(ଡି.ଏନ୍‌.ଏ.): ଶତାବ୍ଦୀ ଅମଳର ହାଟ, ଯାହାକୁ ଜୟପୁର ମହାରାଜା ବିକ୍ରମଦେବ ପ୍ରତିଷ୍ଠା କରିଥିଲେ, ୫ ବର୍ଷ ତଳୁ ତାହା ଏବେ ବନ୍ଦ ହୋଇ ପଡ଼ିଛି। ୫୦ଟି ଗାଁର ଗୁଜୁରାଣ ମେଣ୍ଟାଉଥିବା ଏହି ହାଟ ବନ୍ଦ ହେବା ପରେ ଦାଦନ ଖଟିବା ପାଇଁ ଆନ୍ଧ୍ରମୁହାଁ ହେଉଛନ୍ତି ଶତାଧିକ ଯୁବକ। କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଲିମା ପଞ୍ଚାୟତରୁ ୭୫ ମିଟର ଦୂର ପ୍ରଧାନୀଗୁଡ଼ା (ହାଟଗୁଡ଼ା)ଠାରେ ଏହି ହାଟ ରହିଥିଲା। କୁନ୍ଦୁରା ବ୍ଲକ ସଦରରୁ ୧୦ କି.ମି. ଦୂରରେ ଏହା ଥିବାବେଳେ ଗମନାଗମନର ସୁବିଧା ନ ଥିବା ହାଟ ବନ୍ଦ ହେବାର ମୁଖ୍ୟ କାରଣ।

ଏକଦା କୋରାପୁଟ ଜିଲାରେ ବେଶ୍‌ ପରିଚିତ ଥିଲା ଏହି ସାପ୍ତାହିକ ହାଟ। ଏଠାକୁ ବେପାର କରିବା ପାଇଁ କୋଟପାଡ଼, ବୋରିଗୁମ୍ମା, ଜୟପୁର ଓ ବୈପାରିଗୁଡ଼ା ଅଞ୍ଚଳର ବ୍ୟବସାୟୀ। ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ ଗୁରୁବାର ହାଟ ସମ୍ମୁଖରେ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ବିକ୍ରମଦେବ ମହାରାଜା ପ୍ରତିଷ୍ଠା କରିଥିଲେ। ଲକ୍ଷ୍ମୀଙ୍କ ବାର ଗୁରୁବାରରେ ଏହି ହାଟ କରିଥିଲେ ମହାରାଜା। କୋରାପୁଟ ଜିଲାର ଅନ୍ୟ ସମସ୍ତ ଅଞ୍ଚଳ ଅପେକ୍ଷା ଏଠାରେ ଧାନ, ବିରି, କୋଳଥ, ମୁଗ, ମକା, ଆଳୁ ବହୁଳ ପରିମାଣରେ ଅମଳ ହେଉଥିବା ଯୋଗୁ ଏହିଠାରେ ୧୦୦ ବର୍ଷ ତଳେ ହାଟ କରାଯାଇଥିଲା। ଋତୁ ଅନୁଯାୟୀ ଏଠାରେ ଫଳ ପନିପରିବା ଏବଂ ସମସ୍ତ ପ୍ରକାର ଶସ୍ୟଜାତ ଦ୍ରବ୍ୟ, ବନଜାତ ଦ୍ରବ୍ୟ ମିଳୁଥିବା ବେଳେ ଚାଷ ପାଇଁ ଲଙ୍ଗଳ, ଜୁଆଳି, ହାତୁଡି, ଡଲାରୀ ଜିନିଷ ମଧ୍ୟ ବିକ୍ରି ହେଉଥିଲା। ବର୍ଷା ଦିନେ ମାଛ ସାଙ୍ଗକୁ ଶୁଖୁଆ ମଧ୍ୟ ଚାହିଦା ଥିଲା। ୫ ବର୍ଷ ତଳେ ମନ୍ଦିରରେ ଗାତ କରି ଦୁର୍ବୃତ୍ତମାନେ ମୂଲ୍ୟବାନ ଜିନିଷ ଚୋରି କରିନେବା ଦିନଠାରୁ ଧୀରେଧୀରେ ଏହି ସାପ୍ତାହିକ ହାଟକୁ ଲୋକଙ୍କ ଯିବାଆସିବା କମିଗଲା। ୩ ମାସ ତଳେ ବେହେରାଗୁଡ଼ା ଛକଠାରୁ ଲିମା ଏବଂ ଲିମା ଛକଠାରୁ ପ୍ରଧାନୀଗୁଡ଼ା ଛକଯାଏଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଟେଣ୍ଡର କରାଯାଇ ରାସ୍ତାକାମ ଆରମ୍ଭ ହେବା ଲୋକଙ୍କୁ ଖୁସି ଦେଇଛି ସତ; କିନ୍ତୁ ହାଟ ବନ୍ଦ ହେବା ପରେ ତାହା ହେବା ଅଞ୍ଚଳବାସୀଙ୍କୁ ବେଶୀ ବ୍ୟଥିତ କରିଛି ା ଏହି ଅଞ୍ଚଳଟି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହୁଥିବା ବେଳେ ଏଠାରେ ସବୁଦଳର ନେତା କିଛି କିଛି ବର୍ଷ ଶାସନ କରିଛନ୍ତି। କିନ୍ତୁ ଲୋକଙ୍କ ଜୀବିକା ଜୀବନ ସାଜିଥିବା ଏହି ଗୁରୁବାର ହାଟ ପ୍ରତି କାହାର ଶୁଭଦୃଷ୍ଟି ପଡ଼ିନାହିଁ। ୨୦୧୪ରେ ଲିମାରେ ପଞ୍ଚାୟତ ନିର୍ବାଚନ ବନ୍ଦ କରାଯାଇଥିବା ବେଳେ ପ୍ରଧାନୀଗୁଡ଼ା ରାସ୍ତା ଉପରେ ପ୍ରଶାସନର ଦୃଷ୍ଟି ପଡୁ ନ ଥିବା ଏବଂ ପୂର୍ବରୁ ମଧ୍ୟ ଏହି ଅଞ୍ଚଳକୁ ଅବହେଳା କରାଯାଇଥିବା ଲିମା ଗ୍ରାମର ଖଗେଶ୍ୱର ସାହୁ, ବଦ୍ରି ନାରାୟଣ ଆଚାର୍ଯ୍ୟ, ଅନ୍ତର୍ଯ୍ୟାମି ବିଷୋୟୀ କହିଛନ୍ତି। ୩ ମାସ ତଳେ ଏହି ରାସ୍ତାରେ ୪ଚକିଆ ଯାନ ଯିବା ଆସିବା ଅସମ୍ଭବ ହୋଇପଡୁଥିବା ବେଳେ ଲୋକଙ୍କ ଚାହିଦା ଧୀରେଧୀରେ କମିଯିବାରୁ ହାଟ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା ା ପ୍ରଧାନୀଗୁଡ଼ାରେ ୪୫ରୁ ୫୦ ପରିବାର ରହୁଥିବା ବେଳେ ଏହି ଗ୍ରାମର ଲୋକ ହାଟ ଉପରେ ଯେତିକି ନିର୍ଭର କରୁଥିଲେ, ତାଠାରୁ ବେଶୀ ପଡୋଶୀ ଗ୍ରାମ ଲିମା, ପୁକିଆଗୁଡ଼ା, କୁମ୍ଭାରଗୁଡ଼ା, ଗୁଣ୍ଡାଳ, କଟିଗୁଡ଼ା, ତଲିଆଗୁଡ଼ା, କୁମ୍ଭିଆରୀ, ଘିଉରିଆଗୁଡ଼ା ଏବଂ ଘିଉରିଗୁଡ଼ା ଗ୍ରାମର ଲୋକେ ଅଧିକ ନିର୍ଭର କରୁଥିଲେ ା ଏହି ହାଟ ବନ୍ଦ ହେବା ଯୋଗୁ ଆଖପାଖ ଅଞ୍ଚଳର ଫୁଲଭଟ୍ଟା, କୁମ୍ଭୀଖାରୀ, ବଡ଼ଗୁଣ୍ଡାଳ, ଘିଉରିଆଗୁଡ଼ା, ବେହେରାଗୁଡ଼ା, ଯୋବାପଦର, ପ୍ରଧାନୀଗୁଡ଼ା, ତଲିଆଗୁଡ଼ା ଓ ଲିମା ଅଞ୍ଚଳରୁ ପ୍ରାୟ ୫୦୦ ଲୋକ ଇଟାଭାଟି , ମିସ୍ତ୍ରିକାମ କରିବା ପାଇଁ ଆନ୍ଧ୍ରମୁହାଁ ହୋଇଥିବା ପ୍ରଧାନୀଗୁଡା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ପରମାନନ୍ଦ ପ୍ରଧାନୀ (୭୦), ବଳରାମ ଚିଳ କୁରିଆ (୬୫), ପଦ୍ମ ଚିଲକାରିଆ (୭୫) କହିଛନ୍ତି ା

ଫୋଟୋ - http://v.duta.us/eXiRJAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/w3yjRAAA

📲 Get Rayagada News on Whatsapp 💬