[sambalpur] - ନୂଆଗାଁରେ ଜେଏମ୍‌ଏମ୍‌ ମୁଖ୍ୟ ଶିବୁ ସୋରେନଙ୍କ ନିର୍ବାଚନୀ ସଭା : ଆଦିବାସୀଙ୍କ ସୁରକ୍ଷା ପାଇଁ ଜେଏମ୍‌ଏମ୍‌ ଏକମାତ୍ର ବିକଳ୍ପ

  |   Sambalpurnews

ନୂଆଗାଁ, ୧୬।୪ (ଡି.ଏନ.ଏ.)- ଓଡ଼ିଶା ପ୍ରଦେଶରେ ହେଉ କିମ୍ବା ଭାରତ ବର୍ଷରେ ହେଉ ଅନେକ ଦଳ ସରକାର ଗଢ଼ିଛନ୍ତି। ବର୍ଷ ବର୍ଷ ଧରି ଶାସନ କରିଛନ୍ତି। ହେଲେ ଆଦିବାସୀଙ୍କ ସୁରକ୍ଷା, ବିକାଶ, ସ୍ଥିତି କଥା ସେମାନେ ଭୁଲି ଯାଉଛନ୍ତି। ହେଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଆଜି ବି ଆଦିବାସୀଙ୍କ ସ୍ଥିତି, ସୁରକ୍ଷା ଓ ପରମ୍ପରାକୁ ବଜାୟ ରଖିବା ପାଇଁ ତା’ର ସଂଘର୍ଷ ଜାରି ରଖିଛି। ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ଟାଣୁଆ ଯୁବନେତା ଜେଏମ୍‌ଏମ୍‌ ପ୍ରାର୍ଥୀ ସେବିଆନ ଆଇନ୍ଦଙ୍କୁ ଭୋଟଦେଇ ଜୟଯୁକ୍ତ କରିବାକୁ ସୋମବାର ସୁନ୍ଦରଗଡ଼ ଜିଲା ନୂଆଗାଁଠାରେ ଅନୁଷ୍ଠିତ ନିର୍ବାଚନ ସଭାରେ ଜେଏମ୍‌ଏମ୍‌ ମୁଖ୍ୟ ଶିବୁ ସୋରେନ ଉପସ୍ଥିତ ଜନତାଙ୍କୁ ଆହ୍ବାନ କରିଛନ୍ତି। ଝାଡ଼ଖଣ୍ଡ ସିଲି ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ଅମୀତ ମାହାତ, ବରିଷ୍ଠ ଜେଏମ୍‌ଏମ୍‌ ନେତା ବିନୋଦ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ରର ଭାଜପା ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ଆଦିବାସୀ ବିରୋଧି କାର୍ଯ୍ୟ ଉପରେ କଡା ମନ୍ତବ୍ୟ ଦେଇଥିଲେ। ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଭଳି ଏକ ଆଦିବାସୀ ବହୁଳ ଅଞ୍ଚଳରେ କେବଳ ବିକାଶ ନାଁରେ ବିଜେଡି ସରକାର ଦୀର୍ଘ ୧୯ ବର୍ଷ ଲୁଟି ଚାଲିଛି। ତେଣୁ ଏହି ସରକାର ବିରୋଧୀରେ ଭୋଟ ଦେବା ସହ ଜେଏମ୍‌ଏମ ପ୍ରାର୍ଥୀ ସେବିଆନ ଆଇନ୍ଦଙ୍କୁ ଆଦିବାସୀଙ୍କ ସ୍ବାର୍ଥ ପାଇଁ ଭୋଟ ଦେଇ ବିଧାନସଭାକୁ ପଠାଇବାକୁ ସେମାନେ ନିବେଦନ କରିଥିଲେ। ପ୍ରାର୍ଥୀ ଆଇନ୍ଦ ଉଦ୍‌ବୋଧନ ଦେଇ ନୂଆଗାଁ ଅଞ୍ଚଳରେ ତହସିଲ କାର୍ଯ୍ୟାଳୟ, ଥାନା ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି କହିଥିଲେ। ତେଣୁ ସେ ଯଦି ନିର୍ବାଚିତ ହୁଅନ୍ତି ନୂଆଗାଁରେ ପ୍ରାଥମିକତା ଭିତ୍ତିରେ ତହସିଲ କାର୍ଯ୍ୟାଳୟ ପାଇଁ ସେ ଦାବି କରିବେ ବୋଲି ପ୍ରକାଶ କରିଥିଲେ। ନିର୍ବାଚନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ କମଲକିଶୋର ସାହୁ, ସନ୍ତୋଷ ସିଂ, ଧମରଚାନ୍ଦ ଭୋଗତ, ଜଗତକିଶୋର ସାହୁ, ନୀରଜ ମିଶ୍ର, ଏମଡି ଗୁଲାମ ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ।

ଫୋଟୋ - http://v.duta.us/humP_wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/qrxM2QAA

📲 Get Sambalpur News on Whatsapp 💬