[balasore] - ରାସ୍ତା ନାହିଁ ତ ଭୋଟ ନାହିଁ

  |   Balasorenews

ଭଦ୍ରକ ଅଫିସ, ୨।୪ - ରାସ୍ତା ନାହିଁ ତ ଭୋଟ ନାହିଁ। ଆଉ ପ୍ରତିଶ୍ରୁତି ନୁହେଁ କାମ ଦରକାର। ଏଭଳି ଚରମ ବାଣୀ ଶୁଣାଇଛନ୍ତି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ତ ବ୍ଲକ ତୋଡ଼ଗଁା ପଞ୍ଚାୟତ ବରଡ଼େଶ୍ୱର ଗ୍ରାମବାସୀ। ଏଥର ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବେ। ନିକଟରେ ଗଁା ଲୋକେ ମେଳି କରି ଯେପର୍ଯ୍ୟନ୍ତ ରାସ୍ତା କାମ ନ ହୋଇଛି, କାହାକୁ ଭୋଟ ଦେବେନି ବୋଲି ନିଷ୍ପତ୍ତି ନେଇଛନ୍ତି।

ବରଡ଼େଶ୍ୱରଠାରୁ କେନ୍ଦୁଆପଦା ପଞ୍ଚାୟତ ଦଣ୍ଡୋ ରାସ୍ତା ପ୍ରାୟ ୫ କି.ମି. ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ଏହାର ପ୍ରାୟ ୩ କି.ମି. ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ବର୍ଷା ହେଲେ ଉକ୍ତ ରାସ୍ତାରେ ଯିବାଆସିବା କରିବା କଷ୍ଟକର ହୋଇପଡୁଛି। ଏହି ରାସ୍ତା ଉପରେ ତୋଡ଼ଗଁା, କେନ୍ଦୁଆପଦା, ପାଟୁଳି ଓ ନଗୁଅଁା ପଞ୍ଚାୟତର ପ୍ରାୟ ୮ ଗଁାର ୧୫ ହଜାର ଲୋକେ ନିର୍ଭର କରନ୍ତି। ହେଲେ ରାସ୍ତା ସମସ୍ୟା କାରଣରୁ ଜରୁରୀ ସମୟରେ ଲୋକେ ହଇରାଣ ହେଉଛନ୍ତି। ଗଁାରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ଯାଇପାରୁ ନାହିଁ। ବର୍ଷାଦିନେ ସ୍କୁଲ କଲେଜ ଛାତ୍ରୀଛାତ୍ର ପାଣି କାଦୁଅରେ ପଶି ଯାତାୟାତ କରନ୍ତି। ଏପରି କି ରୋଗୀଙ୍କୁ ଖଟିଆରେ ବୁହା ହୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେବାକୁ ପଡ଼େ ବୋଲି କେନ୍ଦୁଆପଦା ପଞ୍ଚାୟତ ବାସିନ୍ଦା ଜ୍ୟୋତିବିକାଶ ପହି, ତୋଡ଼ଙ୍ଗା ପଞ୍ଚାୟତ ବାସିନ୍ଦା ଶଶୀକାନ୍ତ ଜେନା ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଏହି ଅଞ୍ଚଳରୁ ନିର୍ବାଚିତ ହେଉଥିବା ବିଧାୟକ ଗଁାର ସମସ୍ୟା ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ନିର୍ବାଚନ ସମୟ ଆସିଲେ ପ୍ରତିଶ୍ରୁତି ଦେଇ ପରେ ପୂରଣ ଦିଗରେ ପଦକ୍ଷେପ ନେଉନାହାନ୍ତି। ଗ୍ରାମବାସୀଙ୍କ ଦୁଃଖ ବୁଝୁନାହାନ୍ତି। ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଉଛନ୍ତି। ରାସ୍ତା ମରାମତି ପାଇଁ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ମିଳୁନି। ଏହି ରାସ୍ତାରେ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏଣୁ ଚଳିତ ନିର୍ବାଚନ ପୂର୍ବରୁ ଏହି ରାସ୍ତା ମରାମତି କରା ନ ଗଲେ ନିଶ୍ଚିତ ଭୋଟ ବର୍ଜନ କରାଯିବ ବୋଲି ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି ଗ୍ରାମବାସୀ। ଭୋଟ ବର୍ଜନ ଶେଷ ଅସ୍ତ୍ର ଭାବେ ଧରି ନେଇଛନ୍ତି ଗଁା ଲୋକେ। ଏ ସମ୍ପର୍କରେ ବନ୍ତ ବିଡିଓ ରେବିକା ବିଲୁଙ୍ଗଙ୍କୁ ପଚାରିବାରୁ କହିଛନ୍ତି, ଉକ୍ତ ରାସ୍ତା ନିର୍ମାଣ ପାଇଁ ବ୍ଲକ ପକ୍ଷରୁ ଡିଆର୍‌ଡିଏକୁ ପ୍ରସ୍ତାବ ଦିଆଯାଇଛି। ରାସ୍ତା ନିର୍ମାଣ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗର। ଅନ୍ୟପକ୍ଷେ ଏହି ରାସ୍ତା ୨ଟି ବ୍ଲକ ଅଧୀନରେ ଯାଉଥିବାରୁ ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।

ଫୋଟୋ - http://v.duta.us/sAhZpgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/kny5rwAA

📲 Get Balasore News on Whatsapp 💬