[berahampur] - ପ୍ରତାପୁର ଋଷିକୁଲ୍ୟାରେ ବୁଡ ପକାଇଲେ ଲକ୍ଷାଧିକ ଭକ୍ତ

  |   Berahampurnews

ପୁରୁଷୋତ୍ତମପୁର,୨ା୪(ଡି.ଏନ.ଏ.)- ପୁରୁଷୋତ୍ତମପୁର ବ୍ଲକ ପ୍ରତାପୁର ଗ୍ରାମ ନିକଟ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ବାରୁଣୀସ୍ନାନ ଅବସରରେ ଲକ୍ଷାଧିକ ଭକ୍ତ ବୁଡ ପକାଇଛନ୍ତି। ବୁଡ ପକାଇବାକୁ ସୋମବାର ସନ୍ଧ୍ୟାରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। କିମ୍ବଦନ୍ତୀ ଅନୁସାରେ ପ୍ରଭୂ ରାମଚନ୍ଦ୍ର ବନବାସରେ ଥିବାବେଳେ ପ୍ରତାପୁର ଗ୍ରାମ ଋଷିକୁଲ୍ୟାର ଉତ୍ତରବାଙ୍କଠାରେ ରହିଥିଲେ। ସେଠାରେ ବାବା ତୁମ୍ବେଶ୍ୱରଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ପିତା ଦଶରଥଙ୍କ ମୃତ୍ୟୁ ଖବର ପାଇ ପତ୍ନୀ ସୀତାଙ୍କ ସହ ପିତା ଦଶରଥଙ୍କୁ ବାଲୁକା ପିଣ୍ଡ ଦାନ କରିଥିଲେ। ସେହିଦିନଠାରୁ ଏଠାରେ ବାରୁଣୀସ୍ନାନ ହେଉଅଛି। ଏଠାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ସହ ବୁଡ ପକାଇଲେ ମୃତ ବ୍ୟକ୍ତିଙ୍କ ସ୍ବର୍ଗପ୍ରାପ୍ତି ସହ ପୂଣ୍ୟମିଳେ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ବାବା ତୁମ୍ବେଶ୍ୱର, ଲକ୍ଷ୍ମୀ ନାରାୟଣ, ତାରାତାରିଣି, ରଘୁନାଥ ଓ ଋକୁଣା ମହାପ୍ରଭୁଙ୍କ ପ୍ରତିମାଙ୍କୁ ଭୋର ୪ଟାରେ ବୁଡଘାଟକୁ ଅଣାଯାଇ ମେଳଣ କରାଯିବାପରେ ବୁଡ ଆରମ୍ଭ ହୋଇଥିଲା। ବୁଡ ପକାଇବା ସହ ଶ୍ରାଦ୍ଧ କରିବା, ଅସ୍ତି ବିସର୍ଜନ କରିବାଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ବୁଡ ପକାଇବା ପରେ ଭକ୍ତମାନେ ତୁମ୍ବେଶ୍ୱର, ଦକ୍ଷିଣ କାଳୀ, ଆଖଣ୍ଡଳମଣିଙ୍କ ଦର୍ଶନ ସାରି ଫେରିଛନ୍ତି। ପ୍ରତାପୁର ପଞ୍ଚାୟତ ଓ ନିଗମାନନ୍ଦ ସରସ୍ବତୀ ଆଶ୍ରମ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଅନ୍ନଭୋଗ ମାଗଣାରେ ଯୋଗାଇ ଦିଆଯାଇଥିଲା। ଏସ୍‌ଡିପିଓ ନିମାଇଁ ଚରଣ ସେଠୀ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ବ୍ଲକ ଉପାଧ୍ୟକ୍ଷା ବବିତା ରାଉଳ, ପ୍ରତାପୁର ସରପଞ୍ଚ ଛବିଲତା ନାୟକ, ଗୌରୀଶଙ୍କର ରାଉଳ, କାହ୍ନୁ ଚରଣ ନାୟକ ଓ ବିଜୁ ଯୁବ ବାହିନୀର ସଦସ୍ୟମାନେ ପରିଚାଳନା କରିଥିଲେ।

ଫୋଟୋ - http://v.duta.us/vNi_JwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Glij3gAA

📲 Get Berahampur News on Whatsapp 💬