[berahampur] - ବିଜେଡି ପ୍ରଚାର ରାଲିରେ ଯୁବ କଂଗ୍ରେସ ସଭାପତି

  |   Berahampurnews

ବ୍ରହ୍ମପୁର ଅଫିସ୍‌,୨।୪:: ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଦେଶ କଂଗ୍ରେସ କମିଟିକୁ ଟାର୍ଗେଟ୍‌ କରି ଆସୁଥିବା ବ୍ରହ୍ମପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବିଶ୍ୱଜିତ ପାତ୍ର ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ସୋମବାର ବିଜେଡି ପ୍ରଚାର ରାଲିରେ ବିଶ୍ୱଜିତଙ୍କୁ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ବିଭିନ୍ନ କଥା ଚର୍ଚ୍ଚା ହେଉଛି। ବିଜିପୁରରେ ସୋମବାର ବିଜେଡି ବିଧାନସଭା ପ୍ରାର୍ଥୀ ବିକ୍ରମ ପଣ୍ଡା ଏବଂ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରଚାର କରିଥିଲେ। ଏହି ପ୍ରଚାର ବେଳେ ଗାଡ଼ି ଉପରେ ବିକ୍ରମ ଏବଂ ରମେଶଙ୍କ ସହ ବିଶ୍ୱଜିତଙ୍କୁ ଦେଖିବାକୁ ମିଳିଥିଲା। ସେ ବେକରେ ବିଜେଡ଼ି ଗାମୁଛା ପକାଇଥିଲେ। ଦେଖୁ ଦେଖୁ ବିଶ୍ୱଜିତଙ୍କ ଏହି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଯାଇଥିଲା। ତେବେ ଏନେଇ ବିଶ୍ୱଜିତଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ। କିନ୍ତୁ ତାଙ୍କର ଜଣେ ସମର୍ଥକଙ୍କ କହିବା କଥା ହେଲା, ବିଜେଡିର ପ୍ରଚାର ରାଲି ବିଜିପୁରରେ ବିଶ୍ୱଜିତଙ୍କ ଘର ସମ୍ମୁଖ ଦେଇ ଯାଉଥିଲା। ଯୁବ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେଇଥିବା ଅନେକ ନେତା ଏହି ରାଲିରେ ଥିଲେ। ବିଶ୍ୱଜିତଙ୍କ ସହ ସେମାନଙ୍କ ସମ୍ପର୍କ ଭଲ। ଏଣୁ ସେମାନେ ବିଶ୍ୱଜିତଙ୍କୁ ଟାଣି ଗାଡ଼ି ଉପରକୁ ନେଇଯାଇଥିଲେ। ଅଳ୍ପ ସମୟ ପରେ ବିଶ୍ୱଜିତ ଗାଡ଼ିରୁ ଓହ୍ଲାଇଥିଲେ। ସେ କଂଗ୍ରେସ ଛାଡ଼ୁନାହାନ୍ତି କିମ୍ବା ବିଜେଡ଼ିରେ ଯୋଗଦେବେ ନାହିଁ ବୋଲି ବିଶ୍ୱଜିତଙ୍କ ସମର୍ଥକ ଜଣକ କହିଛନ୍ତି।ଖଲ୍ଲିିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ପୂର୍ବତନ ସଭାପତି ବିଶ୍ୱଜିତ ଗତ ୧୫ବର୍ଷ ହେଲା କଂଗ୍ରେସ ରାଜନୀତିରେ ସକ୍ରିୟ ଅଛନ୍ତି। ଚଳିତ ଥର ସେ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ଥିଲେ। ବାରମ୍ବାର ଦିଲ୍ଲୀ ଦୌଡ଼ିବା ସହ ଏଆଇସିସି ଏବଂ ପିସିସି ନେତାଙ୍କ ସହ ଲଗାତର ଯୋଗାଯୋଗରେ ଥିଲେ। କିନ୍ତୁ ତାଙ୍କୁ ଦଳ ଟିକେଟ ଦେଇ ନ ଥିଲା। ଏହାକୁ ନେଇ ବିଶ୍ୱଜିତ ଅସନ୍ତୁଷ୍ଟ ଥିଲେ। ଗତ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ପିସିସି ପଦାଧିକାରୀଙ୍କ ବିରୋଧରେ ସ୍ବର ଉଠାଇବା ସହ ଟିକେଟ ବଣ୍ଟନରେ ପକ୍ଷପାତିତା ହୋଇଛି ବୋଲି ଅଭିଯୋଗ କରିଥିଲେ। ବ୍ରହ୍ମପୁର ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦଳ ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ମଧ୍ୟ ସେ ସମାଲୋଚନା କରିଥିଲେ। ଫଳରେ ପିସିସିର ଆକ୍ରୋଶର ସମ୍ମୁଖ ହୋଇଥିଲେ ବିଶ୍ୱଜିତ। ଏଭଳି ପରିସ୍ଥିତିରେ ସୋମବାର ବିଜେଡିର ପ୍ରଚାର ରାଲିରେ ବିଶ୍ୱଜିତଙ୍କ ଯୋଗଦାନକୁ ନେଇ ରାଜନୈତିକ ମହଲରେ ବିଭିନ୍ନ କଥା ଆଲୋଚନା ହେଉଛି।

ଫୋଟୋ - http://v.duta.us/v2kjzQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/w0vaMAAA

📲 Get Berahampur News on Whatsapp 💬