[rayagada] - ପୁରୁଣା-ନୂଆ ମୁହଁ ମଧ୍ୟରେ ଟକ୍କର

  |   Rayagadanews

ନବରଙ୍ଗପୁର,୨।୪: ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ୨୦୦୪ ପର୍ଯ୍ୟନ୍ତ କଂଗ୍ରେସର ଗଡ଼ ରହିଥିଲା। ୨୦୦୯ ମସିହାରେ ଏହା ଅନୂସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ହେବା ପରେ କଂଗ୍ରେସର ଗଡ ଭାଙ୍ଗି ବିଜେଡି ଦୁଇ ଥର ଏଠାରୁ ବିଜୟୀ ହୋଇଛି। ଚଳିତ ନିର୍ବାଚନରେ ଏଠାରୁ କଂଗ୍ରେସର ସଦନ ନାୟକ, ଭାଜପାର ଗୌରୀ ଶଙ୍କର ମାଝି ଓ ବିଜେଡିର ସଦାଶିବ ପ୍ରଧାନୀ, ସ୍ବାଧୀନ ପ୍ରାର୍ଥୀ ବେଦବ୍ୟାସ ଭତ୍ରା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଭାଜପା ଓ ବିଜେଡି ଏଠାରେ ନୂଆ ମୁହଁ ଦେଇଥିବା ବେଳେ କଂଗ୍ରେସ ପୁରୁଣା ପ୍ରାର୍ଥୀଙ୍କ ଉପରେ ଭରସା ରଖିଛି। ବିଜେଡି ଏଠାରେ ପୂର୍ବତନ ଏମପି ଖଗପତି ପ୍ରଧାନୀଙ୍କ ପୁତୁରା ତଥା ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ଗୋପୀନାଥ ପ୍ରଧାନୀଙ୍କ ପୁଅ ସଦାଶିବ ପ୍ରଧାନୀଙ୍କୁ ପ୍ରାର୍ଥୀ କରିଛି। ଦୀର୍ଘ ବର୍ଷ ହେବ ଦଳର ପଦପଦବୀରେ ରହିଥିବା ବେଦବ୍ୟାସ ଭତ୍ରା ଓ ସ୍ବତନ୍ତ୍ର ବିକାଶ ପରିଷଦର ଉପାଧ୍ୟକ୍ଷା ମଂଜୁଳା ମାଝୀ ଆଶାୟୀ ପ୍ରାର୍ଥୀ ଭାବେ ରହିଥିଲେ। ସଦାଶିବଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଆଶାୟୀଙ୍କ ଆଶା ପୂରଣ ହୋଇ ନ ଥିଲା। ମଂଜୁଳାଙ୍କୁ ଦଳ ଅଣଦେଖା କରି ରଖିଥିବାରୁ ସେଥିପାଇଁ ସେ ସକ୍ରିୟ ନଥିବା ଜଣାପଡିଛି। ବେଦବ୍ୟାସଙ୍କୁ ବିଜେଡି ପ୍ରାର୍ଥୀ ନକରିବାରୁ ସେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି। ଏହା ବିଜେଡି ପାଇଁ ଅଡୁଆ ହୋଇପାରେ। ବେଦବ୍ୟାସ ସ୍ବାଧୀନ ପ୍ରାର୍ଥୀ ହେବା ପରେ ବିଜେଡି ଭୋଟ ବିଭାଜନ ହୋଇପାରେ। ଏହି ଭୋଟ ଭାଜପା ଓ କଂଗ୍ରେସ ଆଡକୁ ଯାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ଏଠାରେ ମୁଖ୍ୟତଃ କଂଗ୍ରେସ, ଭାଜପା ଓ ବିଜେଡି ମଧ୍ୟରେ ତ୍ରିମୁଖୀ ପ୍ରତିନ୍ଦ୍ୱନ୍ଦ୍ୱିତା ହେବ। ସେଥିପାଇଁ ୩ ଦଳର ପ୍ରାର୍ଥୀ ବିଭିନ୍ନ ପ୍ରତିଶ୍ରୁତି ଦେଇ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଲାଗିଛନ୍ତିି। ଗାଁମାନଙ୍କରେ ବୈଠକ ଓ ସଭାସମିତି ଆଦି କରି ନିର୍ବାଚନୀ ପ୍ରଚାର ଜୋରଦାର କରିଛନ୍ତି। ଶିକ୍ଷା, ଜଳସେଚନ, ମହିଳା ସଶକ୍ତୀକରଣ ପ୍ରମୁଖ ବିକାଶମୂଳକ କାର୍ଯ୍ୟ ସହ ବିଜେଡି ସରକାର ସମୟରେ ହୋଇଥିବା ଜନହିତକର ଯୋଜନାକୁ ନେଇ ବିଜେଡି ନିର୍ବାଚନ ମଇଦାନରେ ପ୍ରଚାର କରୁଛି। ଇନ୍ଦ୍ରାବତୀ ନଦୀ ଜଳ ତଳମୁଣ୍ଡକୁ କେନାଲ ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ବିଜେଡି ସରକାର ଦେଇଥିବା ପ୍ରତିଶ୍ରୁତିକୁ ୧୦ ବର୍ଷ ବିତିଗଲା। ଏ ପର୍ଯ୍ୟନ୍ତ ମାଟି ଖୋଳା ହୋଇ ପାରିଲା ନାହିଁ। କଂଗ୍ରେସ ସରକାର ଆସିଲେ ଧାନର ସର୍ବନିମ୍ନ ବିକ୍ରି ମୂଲ୍ୟ ବୃଦ୍ଧି, ନିଯୁକ୍ତି ସୁଯୋଗ, କୃଷିଋଣ ଛାଡ କରାଯିବ ବୋଲି ପ୍ରସଙ୍ଗ କରି କଂଗ୍ରେସ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ନ ମିଳିବା, ଦାଦନ ଶ୍ରମିକ ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା, ଜଳାଶୟ, ନଦୀ, ନାଳ ରହି ମଧ୍ୟ ଜଳସେଚନ ବ୍ୟବସ୍ଥା ନ ଥିବା, ମକା ଓ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ନ ମିଳିବା ଓ ମଣ୍ଡି ଖୋଲା ନ ଯିବା ପ୍ରମୁଖ ଘଟଣା ଉପରେ ଫୋକସ କରି ଭାଜପା ନିର୍ବାଚନ ମଇଦାନରେ ପ୍ରଚାର ଜୋର କରିଛି। ଅନ୍ୟପକ୍ଷରେ ସ୍ବାଧୀନ ପ୍ରାର୍ଥୀ ବେଦବ୍ୟାସ ଭାଜପା, କଂଗ୍ରେସ ଓ ବିଜେଡି ବିପକ୍ଷରେ ପ୍ରଚାର କରି ଭୋଟରଙ୍କୁ ନିଜ ଆଡକୁ ମୁହାଁଇବା ପାଇଁ ଭିତିରିଆ ଉଦ୍ୟମ ଚଲାଇଛନ୍ତି।ସଦାଶିବ ପ୍ରହରାଜ

ଫୋଟୋ - http://v.duta.us/lyLxVQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/rVfb5wAA

📲 Get Rayagada News on Whatsapp 💬