[upakula-odisha] - ତତଲା ପବନରେ ଜନଜୀବନ ଅସ୍ତବ୍ୟସ୍ତ ୪୦ ଡିଗ୍ରୀରୁ ଖସୁନି ପାରଦ

  |   Upakula-Odishanews

ନୟାଗଡ଼ ଅଫିସ,୨୯ା୪- ପାହାଡ଼ ପାଦଦେଶରେ ଥିବା ନୟାଗଡ଼ ସହରରେ ଦିନକୁ ଦିନ ତାତି ବଢ଼ିବାରେ ଲାଗୁଛି। ପ୍ରାୟ ଏକସପ୍ତାହ ପୂର୍ବରୁ ତାପମାତ୍ରା ୩୫ରୁ ୩୮ ଡିଗ୍ରୀ ମଧ୍ୟରେ ରହିଥିଲା। ହେଲେ ୩ଦିନ ହେଲା ଏହା ୪୦ ଡିଗ୍ରୀରୁ ତଳକୁ ଖସୁନାହିଁ। ରବିବାର ମୋବାଇଲ୍‌ ଆପ୍‌ ଜରିଆରେ ପାରଦ ୪୧ଡିଗ୍ରୀ ଛୁଇଁଥିବା ଜଣାପଡିଥିଲା। ଗ୍ରୀଷ୍ମତାପ ସାଙ୍ଗକୁ ତତଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି।

ସକାଳ ୮ଟା ପରେ ସହରର ତାପମାତ୍ରା ଧୀରେ ଧୀରେ ବଢ଼ିବାରେ ଲାଗୁଛି। ଜରୁରୀ କାମ ନ ପଡ଼ିଲେ କେହି ଘରୁ ବାହାରକୁ ବାହାରୁନାହାନ୍ତି। ଯେଉଁମାନେ ବାହାରୁଛନ୍ତି ସେମାନେ ମୁଣ୍ଡରେ ଗାମୁଛା ଓ ଓଢ଼ଣି ଦେଉଥିବା ଦେଖିବାକୁ ମିଳୁଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ରାସ୍ତା ଓ ବଜାର ଫାଙ୍କା ରହୁଛି। କେବଳ ନୟାଗଡ଼ ସହର ନୁହେଁ, ଜିଲାର ସମସ୍ତ ସ୍ଥାନରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିସ୍ଥଳେ ସହରରେ ପାନୀୟଜଳ ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ପୌରପରିଷଦ ପକ୍ଷରୁ ଜଳଛତ୍ର ଖୋଲାଯାଇଥିଲେ ମଧ୍ୟ ସେଠାରେ କେହି ରହୁ ନାହାନ୍ତି। ଯେଉଁମାନେ ପଦାକୁ ବାହାରୁଛନ୍ତି ସେମାନେ ଶୋଷ ମେଣ୍ଟାଇବା ପାଇଁ ଜଳଛତ୍ର ପାଖକୁ ଗଲା ବେଳକୁ ବାସି ପାଣି ଦେଖି ମୁହଁ ମୋଡୁଛନ୍ତି। ଏହି କାରଣରୁ ବିଭିନ୍ନ ଥଣ୍ଡା ପାନୀୟ ଦୋକାନରେ ଭିଡ଼ ଜମୁଛି। ବୋଝ ଉପରେ ନଳିତା ବିଡ଼ା ସଦୃଶ ଅଘୋଷିତ ବିଦ୍ୟୁତ୍‌ କାଟ ଜିଲାବାସୀଙ୍କୁ ଅତିଷ୍ଠ କରିଦେଉଛି। ଦିନ ହେଉ କି ରାତି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ ସରବରାହ ବନ୍ଦ ରହୁଛି। ଏପରି କି ଅନେକ ସ୍ଥାନରେ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବା ଦେଖିବାକୁ ମିଳୁଛି। ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଅଂଶୁଘାତ ପୀଡିତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଲୋଚନା ହେଉଛି। ଅଂଶୁଘାତ ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ର କହନ୍ତି, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଂଶୁଘାତ କକ୍ଷ ଖୋଲାଯାଇଛି। ଜିଲାର ୩୩ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଅଂଶୁଘାତ କକ୍ଷ ଖୋଲାଯାଇଛି। ଅଂଶୁଘାତ ପୀଡିତଙ୍କ ପାଇଁ କେତେକ ସ୍ଥାନରେ କୁଲର ଓ ଆଉ କେତେକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏସି ରୁମ୍‌ର ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଅଂଶୁଘାତରେ ପୀଡ଼ିତ ହେଉଛନ୍ତି ସେମାନଙ୍କୁ ସେଠାରେ ରଖାଯାଉଛି। ବର୍ତ୍ତମାନ ସୁଦ୍ଧା କେହି ସେଭଳି ଅସୁସ୍ଥ ରୋଗୀ ଆସିନାହାନ୍ତି। ଦୁଇଦିନ ହେଲା ‘ଫନୀ’ ପାଇଁ ଗୁଳୁଗୁଳି ହେଉଛି। ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗ ସତର୍କ ରହିଥିବା ନେଇ ସିଡ଼ିଏମ୍‌ଓ ମହାପାତ୍ର ପ୍ରକାଶ କରିଥିଲେ।

ଫୋଟୋ - http://v.duta.us/pn6-lQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/xd74ywAA

📲 Get Upakula-odisha News on Whatsapp 💬