ସୁନାବେଶରେ ଝଟକିଲେ : ଦର୍ଶନ ପାଇଁ ବଡ଼ଦାଣ୍ଡ ଜନସମୁଦ୍ର, ୧୨ ଲକ୍ଷ ଭକ୍ତଙ୍କ ସମାଗମ

ପୁରୀ : ମଥାରେ ସୁନାର କିରୀଟ। କାନରେ ସୁନାର କୁଣ୍ଡଳ, ତଳଗି। କମରରେ ସୁନା କମରପଟି ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣ। ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ହା‌ତରେ ସୁବର୍ଣ୍ଣର ହଳମୂଷଳ, କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ହାତରେ ସ୍ବର୍ଣ୍ଣ ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ତଳଗି (କର୍ଣ୍ଣାଳଙ୍କାର), ସୁନାର ଶ୍ରୀପୟର। ସତରେ କି ସୁନ୍ଦର ସେ ରୂପ। ନବଦିନର ଯାତ୍ରା ସାରି ସିଂହଦ୍ୱାରକୁ ବାହୁଡ଼ିବା ପରେ ମହଣ ମହଣ ସୁନା, ରୁପା ଓ ବିଭିନ୍ନ ଧାତୁ ଓ ରତ୍ନରେ ନିର୍ମିତ ଭଳିକି ଭଳି ଅଳଙ୍କାର ପରିଧାନ କରି ଅପରୂପ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ।

ରତ୍ନବେଦୀକୁ ଫେରିବାର ଦିନକ ପୂର୍ବରୁ ଆଜି ପବିତ୍ର ଗରୁଡ଼ ଶୟନ ଦ୍ବାଦଶୀ ତିଥିରେ ସିଂହଦ୍ୱାର ଆଗରେ ଦଣ୍ଡାୟମାନ ତିନି ରଥରେ ତିନି ଠାକୁରଙ୍କ ଏହି ସୁନାବେଶ ଦେଖି ଭକ୍ତବୃନ୍ଦ ଆତ୍ମ ବିଭୋର ହୋଇଥିଲେ। ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଥିଲା ସମଗ୍ର ବଡ଼ଦାଣ୍ଡ। ଭାବପ୍ରବଣତା ଓ ଆବେଗରେ କିଛି ଭକ୍ତ କାନ୍ଦି ପକାଉଥିଲେ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦେଖିବା ପାଇଁ ଆଜି ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଥିଲା। ଅନୁକୂଳ ପାଗ ଯୋଗୁ ୧୨ ଲକ୍ଷରୁ ଅଧିକ ଭକ୍ତ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି କୋଟି ପୁଣ୍ୟ ଲାଭ କରିଥିଲେ।...

ଫୋଟୋ - http://v.duta.us/mA8hWgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/V6F8wgAA

📲 Get Odisha News on Whatsapp 💬