[berahampur] - ଆଗାମୀ ନିର୍ବାଚନ ପାଇଁ କଂଗ୍ରେସରୁ ୩ ଜଣଙ୍କ ନାମ

  |   Berahampurnews

ବ୍ରହ୍ମପୁର ଅଫିସ,୧୨ା୨-ଚଳିତ ବର୍ଷର ସାଧାରଣ ନିର୍ବାଚନ ପାଖେଇ ଆସୁଛି। ମୁଖ୍ୟତଃ ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ଭାଜପାର ଆଶାୟୀ ପ୍ରାର୍ଥୀଙ୍କ ଉତ୍କଣ୍ଠା ବଢ଼ି ଚାଲିଛି। ଗଞ୍ଜାମ ଜିଲାର ୧୩ ବିଧାନସଭା କ୍ଷେତ୍ରରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ସୁନିଶ୍ଚିତ ହୋଇଥିବା ବେଳେ ଅବଶିଷ୍ଟ ଆସନ ପାଇଁ ନବୀନ ହିଁ ପ୍ରାର୍ଥୀ ଚୟନ କରିବେ। ତେଣୁ ଶଙ୍ଖ ଦଳର ଆଶାୟୀମାନେ ଚୁପ୍‌ ରହିଛନ୍ତି । ଭାଜପା ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଚୟନ ସମ୍ପର୍କରେ ପ୍ରାକ୍‌ ଆଲୋଚନା କରି ନ ଥିବା ବେଳେ ଗଞ୍ଜାମ କଂଗ୍ରେସ ସମସ୍ତ ସେଗ୍‌ମେଣ୍ଟ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ପ୍ରଦେଶ କଂଗ୍ରେସ କମିଟି (ପିସିସି)କୁ ପଠାଇଛି। ଅଧିକାଂଶ ବିଧାନସଭା କ୍ଷେତ୍ର ନିମନ୍ତେ ୩ ରୁ ୪ ଜଣଙ୍କ ନାମ ଥିବାରୁ ଆଶାୟୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ଗଞ୍ଜାମ ଜିଲା କଂଗ୍ରେସ କମିଟି (ଡିସିସି) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ହିଞ୍ଜିଳି ଆସନ ପାଇଁ ୩ ଜଣଙ୍କ ନାମ ସୁପାରିସ କରାଯାଇଛି । ସେମାନଙ୍କ ମଧ୍ୟରେ ହିଞ୍ଜିଳିକାଟୁର ପଦ୍ମଚରଣ ସାହୁ ଥିବା ବେଳେ ନିର୍ବାଚନ ମଣ୍ଡଳୀ ବାହାରର ନିରଞ୍ଜନ ପାଣିଗ୍ରାହୀ ଓ ଶମ୍ଭୁ ପାଣିଗ୍ରାହୀ ଅଛନ୍ତି । ଅପରପକ୍ଷେ ଆଗାମୀ ନିର୍ବାଚନରେ ବାମପନ୍ଥୀ ସହ କଂଗ୍ରେସର ମେଣ୍ଟ ହେବାର ସମ୍ଭାବନା ରହିଛି। ଯଦି ଏହା ହୁଏ ତେବେ ଗଞ୍ଜାମ ଜିଲାର ଛତ୍ରପୁର ଓ ଦିଗପହଣ୍ଡିରେ ଯଥାକ୍ରମେ ସିପିଆଇ ଓ ସିପିଏମ୍‌ ପ୍ରାର୍ଥୀ ଲଢ଼ିବାକୁ କଂଗ୍ରେସ ଛାଡ଼ି ଦେଇପାରେ । ଆସିକା ଲୋକସଭା ଆସନ ମଧ୍ୟ ସିପିଆଇକୁ ଛାଡ଼ିବାର ସମ୍ଭାବନା ରହିଛି। ହିଞ୍ଜିଳି ବିଧାନସଭା ଆସନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ନ ଦେଇ ସିପିଆଇକୁ ସମର୍ଥନ କରିବାର ଚର୍ଚ୍ଚା ଜୋର ଧରିଛି। ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ଛତ୍ରପୁର ବିଧାୟକ ଏନ. ନାରାୟଣ ରେଡ୍ଡୀ ଇତିମଧ୍ୟରେ ଶେରଗଡ଼ ଓ ହିଞ୍ଜିଳି ବ୍ଲକକୁ ଯାଇ ତୃଣମୂଳସ୍ତରର କର୍ମୀଙ୍କ ସହ ଆଲୋଚନା କରିଥିବାରୁ ଏହାକୁ ଗୁରୁତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ, ସ୍ବାଧୀନତା ପରେ ୧୯୫୧-୫୨ ପ୍ରଥମ ନିର୍ବାଚନ ବେଳେ ପାଟପୁର ବିଧାନସଭା କ୍ଷେତ୍ରରେ ହିଞ୍ଜିଳିକାଟୁ ଥିଲା। କମ୍ୟୁନିଷ୍ଟ ପ୍ରାର୍ଥୀ ଗୋବିନ୍ଦ ପ୍ରଧାନଙ୍କ ସହ କଂଗ୍ରେସର ବୃନ୍ଦାବନ ନାୟକଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ସ୍ବର୍ଗତ ନାୟକ ପରାସ୍ତ ହୋଇଥିଲେ । ବିଧାନସଭା ୱେବସାଇଟ ତଥ୍ୟ ପ୍ରକାରେ ୧୯୫୭ ଦ୍ୱିତୀୟ ନିର୍ବାଚନରେ ସ୍ବତନ୍ତ୍ର ଭାବେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା । କଂଗ୍ରେସ ପ୍ରାର୍ଥୀ ବୃନ୍ଦାବନ ନାୟକ ଜିତିଥିଲେ । ପରବର୍ତ୍ତୀ ୧୯୬୧, ୧୯୬୭, ୧୯୭୧, ୧୯୭୪ ନିର୍ବାଚନରେ ମଧ୍ୟ କଂଗ୍ରେସରୁ ବୃନ୍ଦାବନ ଜିତିଥିଲେ। ୧୯୭୭ ନିର୍ବାଚନରେ ବୃନ୍ଦାବନ ନାୟକ ଉତ୍କଳ କଂଗ୍ରେସ ଏବଂ ୧୯୮୦ ନିର୍ବାଚନରେ ଜନତା ପାର୍ଟି (ଏସ)ରୁ ସ୍ବର୍ଗତ ନାୟକ ବିଧାୟକ ହୋଇଥିଲେ। ତାଙ୍କ ପରଲୋକ ପରେ ପୁତ୍ର ଉଦୟନାଥ ନାୟକ ୧୯୮୫ ନିର୍ବାଚନରେ କଂଗ୍ରେସରୁ ଲଢ଼ି ହିଞ୍ଜିଳିରୁ ବିଧାୟକ ହୋଇଥିଲେ । ୧୯୯୦ ନିର୍ବାଚନରେ ସେହି ଆସନରୁ ଜନତା ଦଳ ପ୍ରାର୍ଥୀ ହରିହର ସାହୁ ଏବଂ ୧୯୯୫ ନିର୍ବାଚନରେ ପୁଣି ଉଦୟନାଥ ନାୟକ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ୨୦୦୦ରୁ ୨୦୧୪ ସୁଦ୍ଧା ହୋଇଥିବା ୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ଲଗାତର ୪ ଥର ଜିତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେଣୁ ହିଞ୍ଜିଳିରୁ କଂଗ୍ରେସ ୭ ଥର, ଉତ୍କଳ କଂଗ୍ରେସ ଓ ଜନତା ପାର୍ଟି (ଏସ) ଓ ଜନତା ଦଳ ପ୍ରାର୍ଥୀ ଥରେ ଲେଖାଏ ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଲଗାତର ୪ ଥର ନିର୍ବାଚିତ ହୋଇଛନ୍ତି ।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/gtHgjQAA

📲 Get Berahampur News on Whatsapp 💬