[berahampur] - ଷଷ୍ଠ ଦିନରେ ଏନ୍‌ଏଚ୍‌ଏମ୍‌ କର୍ମଚାରୀଙ୍କ ଆନ୍ଦୋଳନ

  |   Berahampurnews

ବ୍ରହ୍ମପୁର ଅଫିସ୍‌,୧୨ା୨-ବିଭିନ୍ନ ଦାବିନେଇ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସୋମବାର ଷଷ୍ଠ ଦିନରେ ପହଞ୍ଚିଛି । ଫଳରେ ସ୍ବାସ୍ଥ୍ୟ ସେବା ପ୍ରଦାନରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହେଲାଣି । ଅଥଚ ରାଜ୍ୟ ସରକାର ଏ ଦିଗରେ କୌଣସି ନିଷ୍ପତ୍ତି ନେଉନାହାନ୍ତି । ଆନ୍ଦୋଳନକାରୀଙ୍କ ସହ ଆଲୋଚନା ମଧ୍ୟ କରୁନାହାନ୍ତି । ଏଣୁ ଆନ୍ଦୋଳନରତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଉ କିଛି ଦିନ ଆନ୍ଦୋଳନ ଚାଲିଲେ, ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିବ ବୋଲି କୁହାଯାଉଛି । ଅଭିଯୋଗ ହେଲା, ଜାତୀୟ ସ୍ବାସ୍ଥ୍ୟ ମିଶନ୍‌ ଅଧୀନରେ ବ୍ଲକ, ଜିଲା ଓ ରାଜ୍ୟସ୍ତରୀୟ ପ୍ରୋଗ୍ରାମ୍‌ ମ୍ୟାନେଜମେଣ୍ଟ ୟୁନିଟ୍‌ରେ ସେମାନେ କାମ କରୁଛନ୍ତି। ରାଜ୍ୟବ୍ୟାପୀ ୩ ହଜାର ୭୨୧ ଉଚ୍ଚ ଶିକ୍ଷିତ ଯୁବତୀଯୁବକ ଦୀର୍ଘ ୧୨ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ୫୪ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର, ଜନସଂଖ୍ୟା ନିୟନ୍ତ୍ରଣ, ସଂକ୍ରାମକ ରୋଗ ନିୟନ୍ତ୍ରଣ, ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ ଦିଗରେ ଓଡ଼ିଶା ଭଲ ସ୍ଥିତିରେ ପହଞ୍ଚିଛି । ଆନ୍ତର୍ଜାତୀୟସ୍ତରରେ ମଧ୍ୟ ଓଡ଼ିଶା ପ୍ରଶଂସିତ ହୋଇଛି । ନିରାମୟ, ନିଦାନ, ନିର୍ମଳ, ଖୁସି, ସୁନେତ୍ର ଓ ଆମ୍ବୁଲାନ୍ସ ସେବା ଆଦି ଯୋଜନାଗୁଡ଼ିକ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିଛି। ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସଂକ୍ରମଣ ବିହୀନ କରାଇବାରେ ମଧ୍ୟ ସେମାନେ ପ୍ରମୁଖ ଭୂମିକା ନେଇଛନ୍ତି । ନିଦାନ ଓ ନିରାମୟ ପରିଚାଳନାରେ ଓଡ଼ିଶା ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି। ମ୍ୟାଲେରିଆ ଦମନରେ ଓଡ଼ିଶା ଶ୍ରେଷ୍ଠ ହୋଇପାରିଛି। ସ୍ବଚ୍ଛ ଏବଂ ଠିକ୍‌ ତଥା ତତ୍‌କ୍ଷଣାତ୍‌ ଆର୍ଥିକ ନେଣଦେଣ ବ୍ୟବସ୍ଥା ହୋଇଛି । ଫଳରେ ଜନନୀ ସୁରକ୍ଷା, ପରିବାର ନିୟୋଜନ ଏବଂ ଅନ୍ୟାନ୍ୟ ଯୋଜନାରେ ସହାୟତା ରାଶି ସିଧା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି । ତେବେ ଏତେ ସବୁ କାର୍ଯ୍ୟ ସତ୍ତ୍ୱେ କର୍ମଚାରୀଙ୍କୁ ସର୍ବନିମ୍ନ ସୁବିଧା ମିଳୁନି । ଭବିଷ୍ୟନିଧି ପାଣ୍ଠି, ସ୍ବାସ୍ଥ୍ୟ ବୀମା ଏବଂ ଆଶାନୁପାତିକ ଦରମା ମିଳୁନି । ଏଣୁ ସରକାର ତୁରନ୍ତ ସେମାନଙ୍କ ଦାବି ପୂରଣ କରିବା ଆବଶ୍ୟକ ବୋଲି ଆନ୍ଦୋଳନକାରୀ କର୍ମଚାରୀମାନେ ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନରେ ଜିଲାର ପ୍ରାୟ ୧୩୦ କର୍ମଚାରୀ ସାମିଲ ହୋଇଛନ୍ତି। ସେମାନେ ଭୁବନେଶ୍ୱରରେ ଗତ ୬ତାରିଖରୁ ଆନ୍ଦୋଳନ କରୁଛନ୍ତି। ଆଉ ଏହାର ପ୍ରଭାବ ତୃଣମୂଳସ୍ତରରେ ପଡ଼ୁଛି । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ମା’ ଓ ଶିଶୁ ସ୍ବାସ୍ଥ୍ୟ, ଜନନୀ ସୁରକ୍ଷା ଯୋଜନା, ଟିକାକରଣ, ଗଁା କଲ୍ୟାଣ ସମିତି, ରୋଗୀ କଲ୍ୟାଣ ସମିତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, କୁଷ୍ଠ ନିରାକରଣ ଅଭିଯାନ, ମିଶନ୍‌ ଇନ୍ଦ୍ରଧନୁଷ, କୃମିନାଶକ ଦିବସ, ଯକ୍ଷ୍ମା ନିୟନ୍ତ୍ରଣ ଓ ଔଷଧ ବିତରଣ, ମ୍ୟାଲେରିଆ ନିରାକରଣ, ନିଦାନ, ନିରାମୟ, ଡାକ୍ତରଖାନା ପରିମଳ ଆଦି କାର୍ଯ୍ୟ ବନ୍ଦ ହୋଇପଡ଼ିଛି। ଜନନୀ ସୁରକ୍ଷା ଯୋଜନାରେ ପ୍ରସୂତିଙ୍କୁ ୧୪ଶହ ଟଙ୍କା ଏବଂ ମେଡ଼ିକାଲ୍‌ରୁ ଘରକୁ ଯିବା ପାଇଁ ୫ଶହ ଟଙ୍କା ମିଳୁଥିବା ବେଳେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଏହି ଟଙ୍କା ଦିଆଯାଇପାରୁନି ।

ଫୋଟୋ - http://v.duta.us/AhL6RwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/bN-BoQAA

📲 Get Berahampur News on Whatsapp 💬