[rayagada] - ସଙ୍କଟରେ ବାଦୁଡି ବଂଶ: ସୁରକ୍ଷା ନ ଦେଲେ ବିଲୁପ୍ତ ସମ୍ଭାବନା

  |   Rayagadanews

ମାଲକାନଗିରି,୧୨।୨ (ଡି.ଏନ୍‌.ଏ.)-ସ୍ଥନ୍ୟପାୟୀ ପକ୍ଷୀ ଭାବେ ପରିଚିତ ବାଦୁଡିଙ୍କ ବଂଶ ବୃଦ୍ଧିରେ ଏବେ ସମସ୍ୟା ଉପୁଜିଛି। ସଙ୍କଟରେ ରହିଛି ଏବେ ସେମାନଙ୍କ ଜୀବନ। ଏହି ରାତ୍ରିଚର ସ୍ଥନ୍ୟପାୟୀ ପ୍ରାଣୀ ପୂର୍ବରୁ ଜଙ୍ଗଲରେ ଥିବା ଜଳାଶୟ ନିକଟସ୍ଥ ବଡବଡ ଗଛ ଉପରେ ଦିନବେଳା ବିଶ୍ରାମ ନେଇଥାନ୍ତି। ସନ୍ଧ୍ୟା ପରେ ଏମାନେ ଦଳ ଦଳ ହୋଇ ନିଜର ଖାଦ୍ୟ ସଂଗ୍ରହ ପାଇଁ ବାହାରିଥାନ୍ତି। ଗୋଟିଏ ରାତି ମଧ୍ୟରେ ୫୦ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାଇଥାନ୍ତି। ସୁର୍ଯ୍ୟୋଦୟ ପୂର୍ବରୁ ନିଜ ବାସସ୍ଥଳିକୁ ଫେରି ଆସନ୍ତି। ଏମାନଙ୍କ ମୁଖ୍ୟ ଖାଦ୍ୟ ହେଲା ବିଭିନ୍ନ ଗଛର ଫଳ। ବର୍ତ୍ତମାନ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ଜଳାଶ୍ରୟ ଏବଂ ଝରଣା ନ ଥିବା ଏବଂ ବଡବଡ ବୃକ୍ଷ ହ୍ରାସ ଯୋଗୁ ସେମାନଙ୍କ ବାସସ୍ଥଳି ଚିନ୍ତାଜନକ ସ୍ଥିତିରେ ପହଞ୍ଚତ୍ଛି। ଫଳରେ ବାଦୁଡି ସଂଖ୍ୟା ପୂର୍ବାପେକ୍ଷା କମ୍‌ ଦୃଷ୍ଟିଗୋଚର ହେଉଛି। ଏବେ ବାଦୁଡିମାନେ ସହରାଞ୍ଚଳରେ ଥିବା ବଡବଡ ବୃକ୍ଷ ଓ ଜଳାଶ୍ରୟ ନିକଟରେ ଦିନବେଳା ବସା ବାନ୍ଧି ରହୁଛନ୍ତି। ମାଲକାନଗିରି ଜିଲା ସଦର ମହକୁମା ପି.ଡବ୍ଲ୍ୟୁ.ଡି. କଲୋନୀ ଓ ସାପ୍ତାହିକ ବଜାର ପରିସରରେ ଥିବା ପ୍ରାୟ ୧୦ ଏକର ପରିମିତ ଜମିରେ ୩୦ରୁ ଊର୍ଦ୍ଧ୍ୱ ଗଛରେ ଏମାନେ ଦିନବେଳା ବସା ବାନ୍ଧି ରହୁଥିବା ବେଳେ ସନ୍ଧ୍ୟାରେ ଖାଦ୍ୟ ଅନ୍ବେଷଣରେ ଯାଇଥାନ୍ତି। ତେବେ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ଏମାନେ ବର୍ତ୍ତିପାରନ୍ତି ନାହିଁ। ଶିକାରୀମାନେ ଦିନବେଳା ଛିଟିକିଣି ଏବଂ ଆଖପାଖ ଅଞ୍ଚଳରେ ଥିବା ପିଜୁଳି ଏବଂ ଅମୃତଭଣ୍ଡା ଗଛରେ ଜାଲ ବାନ୍ଧି ଏମାନଙ୍କୁ ଶିକାର କରଥାନ୍ତି। ସୁସ୍ବାଦୁ ରୂପେ ପରିଚିତ ବାଦୁଡି ମାଂସ ବାତ ଓ ଶ୍ୱାସ ରୋଗୀଙ୍କ ପାଇଁ ଔଷଧ ରୂପେ କାମ କରିଥାଏ। ଗତବର୍ଷ ମାଲକାନଗିରି ବନ ବିଭାଗ ନିକଟସ୍ଥ ଏମ୍‌.ଭି.- ୪୨ ଗ୍ରାମରେ କେତେକ ଶିକାରୀ ବାଦୁଡିଙ୍କୁ ଧରି ବିକ୍ରି କରୁଥିବା ଦୃଷ୍ଟିକୁ ଆସିବା ପରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏହା ଏବେ ବିଚାରାଧୀନ ରହିଛି। ଚଳିତ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ଏହି ବାଦୁଡିମାନେ ଦିନବେଳା ଆକାଶରେ ବୁଲି ନିକଟସ୍ଥ ବାଲିସାଗରକୁ ଝାମ୍ପ ଦେଇ ପାଣି ପିଉଥିବା ଦେଖିବାକୁ ମିଳୁଛି। ଏକକାଳୀନ ୫୦ରୁ ୧୦୦ ବାଦୁଡି ବାଲିସାଗର ପୋଖରୀ ଉପରେ ବୁଲି ପାଣି ପିଉଥିବା ବେଳେ ଛିଟିକିଣି ମାରି ଏମାନଙ୍କୁ ଘଉଡାଇବା ଏବଂ ମାରିବା ପାଇଁ ଅନେକ ଶିକାରୀ ସବୁ ସମୟରେ ପୋଖରୀ ଚାରିପଟେ ବୁଲୁଛନ୍ତି। ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ବାଦୁଡି ଏଠାରେ ଦେଖିବାକୁ ମିଳେ। ବାଦୁଡିଙ୍କ ସୁରକ୍ଷା ସମ୍ପର୍କରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବାଦୁଡି ଶିକାର ପାଇଁ କେତେକ ଶିକାରୀଙ୍କ ନଜର ସର୍ବଦା ରହି ଆସିଛି। ଚଳିତବର୍ଷ ବନ ବିଭାଗ ଏମାନଙ୍କ ସୁରକ୍ଷା ପାଇଁ ଦିନବେଳା ସମ୍ପୃକ୍ତ ଅଞ୍ଚଳରେ ପହରା ଦେବା ପାଇଁ ଜଙ୍ଗଲ ସୁରକ୍ଷା ସ୍କ୍ବାଡ ଗଠନ କରିଛି। ରାତ୍ର ବେଳା ଯେପରି କୌଣସି ଶିକାରୀ ଏହି ଅଞ୍ଚଳକୁ ନ ଆସନ୍ତି, ଜାଲ କିମ୍ବା ଛିଟିକିଣି ଦ୍ୱାରା ବାଦୁଡିକୁ ନ ମାରିପାରନ୍ତି ସେଥିପ୍ରତି ବିଭାଗ ପକ୍ଷରୁ ଦୃଷ୍ଟି ରଖାଯାଇଛି। ବାଦୁଡି ମାରି କୌଣସି ଶିକାରୀ ଧରାପଡିଲେ ସେମାନଙ୍କ ବିରୋଧରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାଦୁଡିଙ୍କ ସୁରକ୍ଷା ପାଇଁ ସାପ୍ତାହିକ ହାଟରେ ମଧ୍ୟ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି ନାୟକ କହିଛନ୍ତି।

ଫୋଟୋ - http://v.duta.us/JpKnFwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/BmjMlwAA

📲 Get Rayagada News on Whatsapp 💬