[sambalpur] - ସଞ୍ଜୟଙ୍କ ସ୍ମାର୍ଟ ହେଲ୍‌ମେଟ

  |   Sambalpurnews

ସୁନ୍ଦରଗଡ଼,୧୨।୨(ଡି.ଏନ୍‌.ଏ.)ମଦ ପିଇ ଗାଡ଼ି ଚଳାନ୍ତି କି? ଏଣିକି ଆଉ ତାହା ସମ୍ଭବ ହେବନାହିଁ। ହେଲ୍‌ମେଟ୍‌ ନ ପିନ୍ଧି ମଧ୍ୟ ଆଉ ଗାଡ଼ି ଚଳାଇ ପାରିବେ ନାହିଁ। କାରଣ ମଦ ପିଇଥିଲେ କିମ୍ବା ହେଲ୍‌ମେଟ୍‌ ପିନ୍ଧି ନ ଥିଲେ ଆପଣଙ୍କ ବାଇକ୍‌ ଷ୍ଟାର୍ଟ ହେବନାହିଁ। କୌଣସି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଲେ ବାଇକ୍‌ ଆରୋହୀଙ୍କ ଘର ନମ୍ବରକୁ ତୁରନ୍ତ ମେସେଜ୍‌ ପହଞ୍ଚିବ। ଏପରିକି ବାଇକ୍‌ ଆରୋହୀଙ୍କ ମୋବାଇଲରେ ସେଭ୍‌ ହୋଇଥିବା ନମ୍ବର ଅନୁଯାୟୀ ୧୬ଜଣଙ୍କ ପାଖକୁ ମଧ୍ୟ ମେସେଜ୍‌ ଯିବ। ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି ତା’ର ସମ୍ପୂର୍ଣ୍ଣ ବିବରଣୀ ମେସେଜ୍‌ରେ ଉଲ୍ଲେଖ ରହିବ। ଏଭଳି ଏକ ସ୍ମାର୍ଟ ହେଲ୍‌ମେଟ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ସୁନ୍ଦରଗଡ଼ ଦର୍ଲିପାଲି ସାହାଜବାହାଲ ଗ୍ରାମର ୨୭ବର୍ଷୀୟ ସଞ୍ଜୟ ନାଏକ। ସଞ୍ଜୟ ବର୍ତ୍ତମାନ ଛତିଶଗଡ଼ କାଙ୍କେର ଜିଲା କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ସମ୍ପ୍ରତି ବଢ଼ି ଚାଲିଥିବା ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ସେ ଦୀର୍ଘ ୩ ବର୍ଷ ଗବେଷଣା କରିବା ପରେ ତିଆରି କରିଛନ୍ତି ଏହି ସ୍ମାର୍ଟ ହେଲ୍‌ମେଟ। ଏହି ହେଲ୍‌ମେଟରେ ସେ ବ୍ୟବହାର କରିଛନ୍ତି ଜିପିଏସ୍‌, ଆଲକୋହଲ ସେନସର ସହ ଅନେକ ଅତ୍ୟାଧୁନିକ ଯନ୍ତ୍ରାଂଶ। ଏହି ହେଲ୍‌ମେଟ ନ ପିନ୍ଧିଲେ ଗାଡ଼ି ଷ୍ଟାର୍ଟ ହେବ ନାହିଁ। ଗାଡ଼ି ଷ୍ଟାର୍ଟ କରି ହେଲ୍‌ମେଟ କାଢ଼ିଦେଲେ ଇଞ୍ଜିନ ଆପେ ଆପେ ବନ୍ଦ ହୋଇଯିବ। ସେହିଭଳି ଏହି ହେଲ୍‌ମେଟ ପିନ୍ଧିବା ମାତ୍ରେ ମଦର ବାସ୍ନା ଆସିଲେ ଏଥିରେ ଲାଗିଥିବା ସେନ୍‌ସର ମାଧ୍ୟମରେ ଧରାପଡ଼ିଯିବ। ଫଳରେ ଗାଡ଼ି ଷ୍ଟାର୍ଟ ମଧ୍ୟ ହେବନାହିଁ। ହେଲ୍‌ମେଟରେ ଲାଗିଥିବା ଜିପିଏସ୍‌ ଦ୍ୱାରା ବାଇକ୍‌ ଆରୋହୀଙ୍କ ଲୋକେଶନ୍‌ ସମ୍ପର୍କରେ ସୂଚନା ମିଳିଯିବ। ଯଦି ଆପଣ କୌଣସି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୁଅନ୍ତି ତେବେ ଜିପିଏସ୍‌ରେ ସେଭ୍‌ କରାଯାଇଥିବା ୧୬ଟି ନମ୍ବରକୁ ତୁରନ୍ତ ମେସେଜ୍‌ ଯିବ। ସେଇଭଳି ଯଦି ଆପଣଙ୍କ ବାଇକ୍‌ ଅନ୍ୟ କାହାକୁ ଦେଇଛନ୍ତି, ତେବେ ସମ୍ପୃକ୍ତ ବ୍ୟକ୍ତି କେଉଁ ସ୍ଥାନରେ ଅଛନ୍ତି ତାହା ଜଣାପଡ଼ିଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣଙ୍କ ବାଇକ୍‌ କେହି ଚୋରି କରିପାରିବେ ନାହିଁ। କାରଣ ବାଇକ୍‌ ଚୋରି କରିବାକୁ ହେଲେ ଚୋରଙ୍କୁ ପ୍ରଥମେ ହେଲ୍‌ମେଟର ଆବଶ୍ୟକତା ପଡ଼ିବ। ସଞ୍ଜୟଙ୍କ ଏହି ସ୍ମାର୍ଟ ହେଲ୍‌ମେଟ ଗତ ଜାନୁୟାରୀ ୨୮ ତାରିଖରେ ଛତିଶଗଡ଼ ଦୁର୍ଗଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଆୟୋଜିତ ବିଜ୍ଞାନ ମେଳାରେ ପ୍ରଦର୍ଶିତ ହୋଇ ପ୍ରଥମ ସ୍ଥାନ ଅଧିକାର କରିଛି। ଆସନ୍ତା ଏପ୍ରିଲ ୧୦ ତାରିଖରେ ଡେରାଡୁନ୍‌ଠାରେ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଜାତୀୟସ୍ତରୀୟ ବିଜ୍ଞାନମେଳାରେ ସଞ୍ଜୟ ଏହି ପ୍ରକଳ୍ପ ସହ ଭାଗନେବେ ବୋଲି କହିଛନ୍ତି। ୨୦୧୪ରେ ସୁନ୍ଦରଗଡ଼ ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରିକାଲ ବିଭାଗରେ ବି.ଟେକ୍‌ କରିବା ପରେ ସଞ୍ଜୟ ୨୦୧୮ରେ କାଙ୍କେର କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗଦେଇଥିଲେ। ଏହି ସ୍ମାର୍ଟ ହେଲ୍‌ମେଟ ତିଆରି କରିବାରେ ୪ହଜାର ୩ ଶହ ଟଙ୍କା ଖର୍ଚ୍ଚ ହୋଇଥିବା ସେ କହିଛନ୍ତି। ଆଗାମୀ ଦିନରେ ସଡ଼କ ଦୁର୍ଘଟଣା ଓ ବାଇକ୍‌ ଚୋରି ରୋକିବା ଦିଗରେ ଏହି ହେଲ୍‌ମେଟ ବିଶେଷ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ହେଲ୍‌ମେଟର ବୈଷୟିକ ଜ୍ଞାନକୌଶଳ ନେଇ ଯଦି କୌଣସି କମ୍ପାନୀ ଏହାକୁ ନିର୍ମାଣ କରି ମାର୍କେଟିଂ କରେ, ତେବେ ବାଇକ୍‌ ଆରୋହୀମାନେ ଉପକୃତ ହୋଇପାରିବେ ବୋଲି ସଞ୍ଜୟ କହିଛନ୍ତି। ଏ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି।

ଫୋଟୋ - http://v.duta.us/TjMmfQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/EwlzkAAA

📲 Get Sambalpur News on Whatsapp 💬